Odisha Link
Bridging the Missing Links in Odisha

କେବଳ ଘର ଲାଇଟ୍‌ ବନ୍ଦ କରନ୍ତୁ, ଷ୍ଟ୍ରୀଟ୍‌ଲାଇଟ୍‌ କିମ୍ବା ଘରୋଇ ଉପକରଣ ନୁହେଁ: ଶକ୍ତି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରବିବାର ରାତି ୯ଟାରେ ଦୀପ ଜଳାଇବାକୁ ଆହ୍ୱାନ କରାଯାଇଥିବାବେଳେ ଏହି ଅବସରରେ ଲାଇଟ୍‌ ବନ୍ଦ କରିବାକୁ କୁହାଯାଇଛି। ତେବେ କିଛି ଲୋକ ଏହାକୁ ନେଇ ପ୍ରଚାର କରିବା ଆରମ୍ଭ କରିଦେଇଥିଲେ ଯେ, ଲାଇଟ୍‌ ବନ୍ଦ ହେବା ଦ୍ବାରା ଗ୍ରୀଡ୍‌ରେ ସମସ୍ୟା ହେବ ଏବଂ ଫ୍ଲକଚ୍ୟୁଏସନ୍‌ କାରଣରୁ ଏହାର ଚାପ ବିଦ୍ୟୁତ ବ୍ୟବସ୍ଥା ଉପରେ ପଡ଼ିବ। ଏହା ବୈଦ୍ୟୁତିକ ଉପକରଣ ଉପରେ ଚାପ ପକାଇବ ବୋଲି ଚର୍ଚ୍ଚା ଯୋର ଧରିଥିଲା।

ଏହାପରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ଏପରି କିଛି ହେବାର ନାହିଁ। ଭାରତୀୟ ବିଦ୍ୟୁତ ବ୍ୟବସ୍ଥା ଏପରି ସ୍ଥିତିର ମୁକାବିଲା ପାଇଁ ଯଥେଷ୍ଟ ସକ୍ଷମ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କେବଳ ରାତି ୯ଟାରୁ ୯.୦୯ ଯାଏ ଘରର ଲାଇଟ୍‌ ବନ୍ଦ କରିବା ପାଇଁ। ଏହି ସମୟରେ ଷ୍ଟ୍ରୀଟ୍‌ଲାଇଟ୍‌ ବନ୍ଦ ହେବନି କି କମ୍ପ୍ୟୁଟର, ଫ୍ୟାନ୍‌ , ଫ୍ରିଜ ଏବଂ ଏସି ମଧ୍ୟ ବନ୍ଦ କରିବା ଦରକାର ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।

ହସ୍ପିଟାଲ, ଅଫିସ୍‌, ଥାନା ଏବଂ ଅନ୍ୟ ଉତ୍ପାଦନ କେନ୍ଦ୍ର ପୂର୍ବବତ୍‌ ଖୋଲା ରହିବ। କେବଳ ଘରମାନଙ୍କରେ ଲୋକେ ଲାଇଟ୍‌ ବନ୍ଦ କରିବେ ବୋଲି ଏଥିରେ କୁହାଯାଇଛି। ସୂଚନାଥାଉକି, ରାଷ୍ଟ୍ର ସ୍ତରରେ ସଦ୍‌ଭାବନାର ପ୍ରତୀକ ସ୍ୱରୂପ ଏପ୍ରିଲ ୫ ରାତି ୯ଟାରେ ୯ ମିନିଟ୍‌ ପାଇଁ ଦୀପ, ମହମବତୀ ଏବଂ ମୋବାଇଲ ଟର୍ଚ୍ଚ ଜଳାଇବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Comments are closed.