Odisha Link
Bridging the Missing Links in Odisha

ପିଏମ କେୟାର୍ସ ଫଣ୍ଡକୁ ଦାନ କରିଥିବା ରାଜ୍ୟର ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଲେ ରାଜ୍ୟ ବିଜେପି

ଭୁବନେଶ୍ୱର : କୋଭିଡ-୧୯ ମହାମାରୀ ଭାରତ ସମେତ ସାରା ବିଶ୍ୱକୁ ଆକ୍ରାନ୍ତ କରିଛି । କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଆଜି ଏକାଠୀ ହୋଇ ଲଢେଇ କରୁଛି । କରୋନା ଭଳି ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ଓ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦେବା ନେଇ ଏକ ସମର୍ପିତ ଜାତୀୟ ପାଣ୍ଠି ଗଠନ ହୋଇଛି ।

କରୋନାର ମୁକାବିଲା କରିବା ପାଇଁ ଜରୁରୀ କାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ଯୋଗାଇବା, ଭିତିଭୂମି ଓ ସଂସ୍ଥାଗତ ସାମର୍ଥ୍ୟ ପୁନଃନିର୍ମାଣ, ନୂତନ ପ୍ରଯୁକ୍ତିର ପ୍ରୟୋଗ, ଅତ୍ୟାଧୁନିକ ଗବେଷଣା ପାଇଁ ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଓ ରିଲିଫ ପାଣ୍ଠି (ପିଏମ କେୟାର୍ସ ଫଣ୍ଡ) ଗଠନ କରାଯାଇଛି । ଏହି ପାଣ୍ଠି ପାଇଁ ପାର୍ଟୀ ତରଫରୁ ରାଜ୍ୟ କୋଷାଧ୍ୟକ୍ଷ ସୁଦର୍ଶନ ଗୋଏଲଙ୍କୁ ରାଜ୍ୟ ସଂଯୋଜକ ଭାବେ ଦାୟୀତ୍ୱ ଦିଆଯାଇଛି ।

ଏଭଳି ଏକ ସଙ୍କଟ ଘଡିରେ ପିଏମ କେୟାର୍ସ ଫଣ୍ଡକୁ ଅତି କମରେ ୧୦୦ ଟଙ୍କାରୁ ଆରମ୍ଭ କରି ନିଜ ସାମର୍ଥ୍ୟ ଅନୁଯାୟୀ ଅର୍ଥ ରାଶି ପଠାଇ ରାଷ୍ଟ୍ର ହିତରେ ନିଜକୁ ସାମିଲ କରିବା ସହ ବଦାନ୍ୟ ବ୍ୟକ୍ତି ବିଶେଷ ଓ ବିଭିନ୍ନ ଅନିଷ୍ଠାନକୁ ଯୋଡିବା ପାଇଁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଥିଲେ ।

ଏହା ସହ ଏହି ଫଣ୍ଡ ସମ୍ବନ୍ଧରେ ନିଜ ବନ୍ଧୁ ପରିଜନ ମାନଙ୍କୁ ଅବଗତ କରାଇ ଅତି କମରେ ୧୦ ଜଣଙ୍କୁ ଦାନ କରିବା ପାଇଁ ଉତ୍ସାହିତ କରି ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ବୋଲି ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମହାନ୍ତି ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସମେତ ସମଗ୍ର ଦେଶବାସୀ ପିଏମ କେୟାର୍ସ ଫଣ୍ଡକୁ ଅର୍ଥ ରାଶି ପଠାଇ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇ ପ୍ରଧାନମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିଛନ୍ତି ।

ଏହି ଅବସରରେ ବରଗଡ ଜିଲ୍ଲାର ବ୍ୟବସାୟୀ ଜୟ ପ୍ରକାଶ ଲାଠ ଓ ଶ୍ରବଣ ଲାଠ ୨ ଲକ୍ଷ ୫୧ ହଜାର ଟଙ୍କା, ଅନିଲ ଅଗ୍ରୱାଲ ୬୧ ହଜାର ଓ ବସନ୍ତ ଅଗ୍ରୱାଲ ୬୧ ହଜାର ଟଙ୍କା ଲେଖାଏଁ ବରଗଡ ସାଂସଦଙ୍କ ଜରିଆରେ ପିଏମ କେୟାର୍ସ ଫଣ୍ଡକୁ ପଠାଇଛନ୍ତି ।

ବରଗଡ ଜିଲ୍ଲାର ଯୁଧିଷ୍ଠର ମେହର ୫ ହଜାର ୧ ଶହ ଟଙ୍କା, ବରଗଡ କଲେଜ ରୋଡ ଗଣେଶ ପୂଜା କମିଟି ପକ୍ଷରୁ ୫ ହଜାର ୫ ଶହ ଟଙ୍କା, ଗୋପାଳ ଅଗ୍ରୱାଲ ୨ ଲକ୍ଷ ଟଙ୍କା, ସୁଦର୍ଶନ ଗୋୟଲ ୫ ଲକ୍ଷ ଟଙ୍କା, ପଦ୍ମଲୋଚନ ମହାନ୍ତି ୧୦ ଲକ୍ଷଟଙ୍କା, ରାଉରକେଲା ସରସ୍ୱତୀ ବିଦ୍ୟା ମନ୍ଦିର ପକ୍ଷରୁ ୩୦ ହଜାର ୧ଶହ ୫୪ ଟଙ୍କା ଏବଂ ପାଟଣାଗଡର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ୧ ଲକ୍ଷ ଟଙ୍କା ପିଏମ କେୟାର୍ସ ଫଣ୍ଡକୁ ପ୍ରଦାନ କରିଛନ୍ତି ।

ଏଭଳି ସଙ୍କଟ ସମୟରେ ସମସ୍ତ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ଗୁଡିକ ପିଏମ କେୟାର୍ସ ଫଣ୍ଡକୁ ଦାନ କରିଥିବାରୁ ସମସ୍ତଙ୍କୁ ଗୋଏଲ ଏବଂ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।

Comments are closed.