କରୋନା ଲଢ଼େଇ: ୩୦ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କିଣିଲା ପଶ୍ଚିମବଙ୍ଗ

କୋଲକାତା: କରୋନ ପାଇଁ ଅବ୍ୟର୍ଥ ଔଷଧ ବୋଲି ଚର୍ଚ୍ଚା ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କିଣିଛନ୍ତି ପଶ୍ଚିମବଙ୍ଗ ସରକାର। ଏହି ବଟିକାରୁ ୩୦ ଲକ୍ଷ କିଣିବା ପାଇଁ ସରକାର ଅର୍ଡର ଦେଇଛନ୍ତି। ଲକ୍ଡାଉନ୍ ହଟିବା ପୂର୍ବରୁ ଏହା ପହଞ୍ଚିଯିବ ବୋଲି ସରକାର ଆଶା କରିଛନ୍ତି। ପଶ୍ଚିମବଙ୍ଗ ପୂର୍ବରୁ ୪.୫ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କିଣି ରାଜ୍ୟର ବିଭିନ୍ନ ମ୍ୟାଲେରିଆ ଡାକ୍ତରଖାନାକୁ ପଠାଇଥିଲା। ବର୍ତ୍ତମାନ ପାଇଁ ରାଜ୍ୟରେ ଥିବା ଏହି ଔଷଧ ପରିମାଣ ପରିସ୍ଥିତିର ମୁକାବିଲା ପାଇଁ ଯଥେଷ୍ଟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
କୋଭିଡ୍-୧୯ ବିଜ୍ଞ କମିଟିର ମୁଖ୍ୟ ସୁକୁମାର ମୁଖାର୍ଜୀ କହିଛନ୍ତି ଯେ ସାମନାରେ କାମ କରୁଥିବା ଡାକ୍ତରୀଦଳ ପାଇଁ ବ୍ୟବହାର ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍କୁ ରୋଗପ୍ରତିରୋଧକ ଭାବେ ବ୍ୟବହାର କରରାଯାଉଥିବା ବେଳେ ଏହା ରୋଗୀଙ୍କ ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। କ୍ବାରାଣ୍ଟିନ୍ରେ ଥିବା ସନ୍ଦିଗ୍ଧ କୋଭିଡ୍-୧୯ ରୋଗୀଙ୍କ ମଧ୍ୟ ଏହା ଦିଆଯାଇ ପାରିବ ବୋଲି ସେ ଜଣାଇଛନ୍ତି।
ଭାରତ ସରକାର ଏଯାଏଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍କୁ କରୋନାର ଔଷଧ ବୋଲି ଘୋଷଣା କରି ନଥିଲେ ହେଁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ଏହାକୁ କରୋନା ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବ୍ୟବହାର କରାଯିବା ନିମନ୍ତେ ସୁପାରିଶ କରିଛନ୍ତି। ଏହି ଔଷଧକୁ ସର୍ବସାଧାରଣରେ (ବା ଔଷଧ ଦୋକାନରେ) ବିକ୍ରି ଉପରେ ନିଷେଧାଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର। କଳାବଜାରି ରୋକିବା ପାଇଁ ଏହି ଔଷଧ ବିନା ପ୍ରେସ୍କିକ୍ସନରେ ବିକ୍ରି ହୋଇପାରିବ ନାହିଁ ବୋଲି କେ୍ଦ୍ର ସରକାର କହିଛନ୍ତି। ଅନ୍ୟପଟେ ଔଷଧ ଉତ୍ପାଦନକାରୀମାନେ ଏହାର କଞ୍ଚାମାଲ ଚୀନରୁ ଆଣୁଥିବା ବେଳେ ଏବେ ଏହାର ମୂଲ୍ୟ ଦୁଇଗୁଣାା ବବଢ଼ିଯାଇଛି।
ଭାରତୀୟ ଚିକିତ୍ସା ସଂଘ (ଆଇଏମ୍ଏ)ର ପୂର୍ବତନ ସଭାପତି ତଥା ବର୍ତ୍ତମାନ ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନ୍ କହିଛନ୍ତି ବର୍ତ୍ତମାନ ପାଇଁ ଏହି ଔଷଧ କେବଳ ସିଧାସଳଖ କୋଭିଡ୍-୧୯ ସଂସ୍ପର୍ଶରେ ଆସୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରେ ପ୍ରୟୋଗ କରାଯିବ। ଏମାନେ ଏହି ଔଷଧ ୭ ସପ୍ତାହ ପର୍ଯ୍ୟନ୍ତ ଖାଇବେ। ତେବେ ସିଧାସଳଖ କରୋନା ଭୂତାଣୁ ସଂଯୋଗରେ ଆସିନଥିବା ବ୍ୟକ୍ତି ଏହାକୁ ୩ ସପ୍ତାହ ପାଇଁ ଖାଇବେ ବୋଲି ସେନନ୍ କକହିଛନ୍ତି।