ପ୍ରଥମ ଥର ପାଇଁ ସୁନ୍ଦରଗଡ଼ରେ ୨ କରୋନା ପଜିଟିଭ୍

ଭୁବନେଶ୍ବର: ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାତିରେ ଚିହ୍ନଟ ହୋଇଥିବା ୪ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ସୁନ୍ଦରଗଡ଼ର ବୋଲି ସ୍ପଷ୍ଟ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଏଯାଏ କିଛି ସୂଚନା ଦିଆଯାଇ ନାହିଁ।
ସେପଟେ ଗତକାଲି ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ଼ର ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିବାବେଳେ ଅନ୍ୟ ଦୁଇଜଣ କେଉଁ ଅଞ୍ଚଳ ବା ଜିଲ୍ଲାର ବୋଲି ତାହା ବାବଦରେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । କିମ୍ବା ସେମାନଙ୍କ ବୟସ କେତେ ବା ଏମାନଙ୍କ ଟ୍ରାଭେଲ ହିଷ୍ଟି ଅଛି ନା ନାହିଁ ତାହା ତାହା ମଧ୍ୟ ଜଣାପଡ଼ି ନାହିଁ ।
ଗତକାଲି ୪ଟି ରିପୋର୍ଟ ପଜିଟିଭ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଯାଇଛି। ଏଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଏବେବି ୪୧ଟି ଆକ୍ଟିଭ୍ କେସ୍ ଅଛି ଅର୍ଥାତ୍ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ସେମାନଙ୍କ ଚିକିତ୍ସା ଚାଲିଛି। ପଶ୍ଚିମ ଓଡ଼ିଶାରେ ପ୍ରଥମେ କଳାହାଣ୍ଡିରୁ ଜଣେ ଯୁବକ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସି ଆଉ ଜଣେ ଏଥିରେ ଆକ୍ରାନ୍ତ ହୋଇଥିଲେ। କଳାହାଣ୍ଡିରୁ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ସୁନ୍ଦରଗଡ଼ ଜିଲ୍ଲାର ୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି।