Odisha Link
Bridging the Missing Links in Odisha

ରାଜ୍ୟର ୧୦ ଜିଲ୍ଲାକୁ ବ୍ୟାପିଲା କରୋନା

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଁଞ୍ଚିଛି। ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ୬୧ ନମ୍ବର କରୋନା ଆକ୍ରାନ୍ତ ବାଲେଶ୍ବର ଅଞ୍ଚଳର ଏବଂ  ସେ ୫୮ ବର୍ଷିୟ ପୁରୁଷ ବୋଲି ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଫଳରେ ରାଜ୍ୟର ମୋଟ ୧୦ ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷେ ଆଜି ରାଜ୍ୟ ପାଇଁ ଆସିଛି ଆଶ୍ବସ୍ତି ଖବର। ରାଜ୍ୟରେ ପୁଣି ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ। ଆଜି ସୁସ୍ଥ ହୋଇଥିବା ୩ ଜଣଙ୍କୁ ମିଶାଇ କେବଳ ଭୁବନେଶ୍ୱରରେ ୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି। ମାତ୍ର ସେମାନେ ଭୁବନଶ୍ୱରର କେଉଁ ଅଞ୍ଚଳରେ ସେନେଇ ସ୍ୱାସ୍ଥ୍ୟ ବିଭାଗ କୌଣସି ସୂଚନା ଦେଇନାହିଁ।

ମହାମାରୀ କରୋନା ଭାଇରସରେ ଆଜି ସୁଦ୍ଧା ରାଜ୍ୟରେ ୬୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୩୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅପରପକ୍ଷେ କରୋନା ପାଇଁ ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ଏ ପର୍ଯ୍ୟନ୍ତ ୧୦ ଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତହିଁରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାସହ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୪ ଜଣ ସୁସ୍ଥ ହୋଇସାରିଲେଣି। ତେବେ ସର୍ବାଧିକ ସଂଖ୍ୟକ ବ୍ୟକ୍ତି ଖୋର୍ଧା ଜିଲ୍ଲାରୁ ହିଁ ସୁସ୍ଥ ହୋଇଛନ୍ତି। ଖୋର୍ଧା ଜିଲ୍ଲାରୁ ଏବେ ୧୭ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨୯ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି।

କଟକ ଓ ପୁରୀରୁ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନେ ସୁସ୍ଥ ହୋଇସାରିଛନ୍ତି। ତେବେ ଯାଜପୁର, କଳାହାଣ୍ଡିର ଜଣେ ଲେଖାଏ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରାପଡ଼ାର ୨ଜଣ ଚିକିତ୍ସିତ ହେଉଥିବା ବେଳେ ଭଦ୍ରକର ୩ଜଣରୁ ୨ଜଣ ସୁସ୍ଥ ଓ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି। ଢେଙ୍କାନାଳର ଜଣେ ଚିକିତ୍ସିତ ହେଉଥିବା ବେଳେ ଓ ସୁନ୍ଦରଗଡ଼ର ୨ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି। ଆଜି ପ୍ରଥମ ଥର ପାଇଁ ବାଲେଶ୍ବର ଜିଲ୍ଲାରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Comments are closed.