Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କୁ ୩ଟି ପ୍ରଶ୍ନ କଲେ ଶ୍ରୀକାନ୍ତ ଜେନା, ବଢ଼ିବ କି ଲକ୍ଡ଼ାଉନ ଅବଧି?

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ମାଧ୍ୟମରେ ପ୍ରଶ୍ନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଶ୍ରୀ ଜେନା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ପାଇବ କି? ସମେତ ମୋଟ୍‌ ୩ଟି ପ୍ରଶ୍ନ ପଚାରିଛନ୍ତି।

କରୋନା ସଂକ୍ରମଣରେ ଭୁବନେଶ୍ବର ହଟସ୍ପଟ ହୋଇଥିବା ବେଳେ ତଦନୁଯାୟୀ ଅଧିକ ପରୀକ୍ଷା କରାଯାଇନାହିଁ। ତେଣୁ ଲକ୍‌ଡାଉନ ଅବଧି ବଢ଼ିବ କି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେନା ପ୍ରଶ୍ନ କରିଛନ୍ତି। ଶ୍ରୀ ଜେନା ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଭୁବନେଶ୍ବରରେ ୨୦ ଲକ୍ଷ ଲୋକ ରହୁଥିବା ବେଳେ ୨୬ ଦିନର ଲକ୍‌ଡାଉନ ସମୟରେ ମାତ୍ର ୯ ହଜାର ଲୋକଙ୍କର କରୋନା ପରୀକ୍ଷା କରାଯାଇଛି। ଏଭଳି ସ୍ଥିତିରେ ଲକ୍‌ଡାଉନ ଅବଧି ବୃଦ୍ଧି କରାଯିବ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି ଉତ୍ତରପ୍ରଦେଶ ସରକାର କେନ୍ଦ୍ର ଗୃହମନ୍ତ୍ରଣାଳୟର ଅନୁମତି କ୍ରମେ ତାଙ୍କ ରାଜ୍ୟର ହଜାର ହଜାର ଛାତ୍ର ଛାତ୍ରୀଙ୍କୁ ରାଜସ୍ଥାନର କୋଟାରୁ ନିଜ ସ୍ବତନ୍ତ୍ର ବସ୍‌ ଜରିଆରେ ଆଣିପାରିଲେ। ସେହି ପଦ୍ଧତିରେ ଆମେ ଅସହାୟ ଓଡ଼ିଆ ଶ୍ରମିକଙ୍କୁ କାହିଁକି ଆଣିବା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

୧୧୪ଟି ମୁନିସପାଲିଟି ୪.୫ ଲକ୍ଷ ଶ୍ରମିକଙ୍କ ପାଇଁ ସରକାର ୧୦୦ କୋଟି ଟଙ୍କା ଘୋଷଣା କରିଛନ୍ତି। ଏହି ଅର୍ଥରୁ ଶ୍ରମିକଙ୍କ ମଜୁରୀ ପାଇଁ ୩୦ ପ୍ରତିଶତ ଅର୍ଥାତ୍ ୩୦ କୋଟି ବ୍ୟୟ ହେବ। ୪.୫ ଲକ୍ଷ ଶ୍ରମିକଙ୍କ ପାଇଁ ୧୫୦ ଦିନର କାମକୁ ହିସାବ କଲେ ପ୍ରତି ଶ୍ରମିକଙ୍କୁ ଦୈନିକ ୪ଟଙ୍କା ୪୪ ପଇସା ପଡିବ ବୋଲି ସେ ଚିଠିରେ ଦର୍ଶାଇଛନ୍ତି। ଏହି ୩ଟି ପ୍ରଶ୍ନ ଉପରେ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶ୍ରୀ ଜେନା ଦାବି କରିଛନ୍ତି।

Comments are closed.