୩ ମେ’ ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ବାହାରେ ହେବନି କୌଣସି ଉତ୍ସବ: ଗଜପତି ମହାରାଜ

ଭୁବନେଶ୍ବର: କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଥିବାରୁ ଏହି ସମୟରେ ବାହାରେ କୌଣସି ଧାର୍ମିକ କାର୍ଯ୍ୟ କରାଯାଇ ପାରିବ ନାହିଁ। ୩ ମେ’ ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ବାହାରେ ହେବନି କୌଣସି ଉତ୍ସବ। ଏଭଳି କହିଛନ୍ତି ପୁରୀ ଗଜପତି ମହାରାଜ।
ଗଜପତି ମହାରାଜ କହିଛନ୍ତି, ୩ ମେ’ରେ ଲକ ଡାଉନ ସରିବା ପରେ ନୂଆ ଗାଇଡ଼ ଲାଇନ ଅନୁଯାୟୀ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଆଉ ଦୁଇ ଦିନ ପରେ ଅକ୍ଷୟ ତୃତୀୟା ଥିବାରୁ ଏହାକୁ କିପରି ପାଳନ କରାଯିବ ସେନେଇ ଶଙ୍କରାଚାର୍ଯ୍ୟଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଆଗକୁ ଥିବା ଚନ୍ଦନ ଯାତ୍ରା ମଧ୍ୟ ଲକ ଡାଉନ ସମୟ ଭିତରେ ପଡ଼ୁଥିବାରୁ ଏହାକୁ ମଧ୍ୟ ମନ୍ଦିର ବାହାରେ ନକରିବାକୁ ଆଲୋଚନା ହୋଇଥିଲା।
ଶ୍ରୀମନ୍ଦିର ପରମ୍ପରାକୁ ଦୃଷ୍ଟିରେ ରଖି ଏବଂ ଲକ୍ଡାଉନ୍ କଟକଣାକୁ ସଂପୂର୍ଣ୍ଣ ପାଳନ କରି ମେ ୩ ତାରିଖ ପର୍ଯ୍ୟନ୍ତ ଠାକୁରଙ୍କ ନୀତି କିଭଳି ପାଳନ କରାଯିବ ସେ ନେଇ ଧାର୍ମିକ ଗୁରୁ ନିଶ୍ଚଳାନନ୍ଦଙ୍କ ସହ ବିସ୍ତୃତ ଆଲୋଚନା କରାଯିବ। ଏହାସହ ଆଜି ସନ୍ଧ୍ୟାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଗଜପତି ମହାରାଜ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି।
ସେହିପରି ଆସନ୍ତା ୩ତାରିଖ ପରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନୂତନ ଗାଇଡ଼ ଲାଇନ ଅନୁଯାୟୀ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବା ନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜା। ଏହି ବୈଠକରେ ପୁରୀ ଗଜପତି ମହାରାଜା, ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ା କ୍ରିଷ୍ଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ।