୧୧୯ ନମ୍ବର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ମହାମାରୀ କରୋନାରେ ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ରେ ପହଁଞ୍ଚିଛି। ମୃତ ଜଣକ ହେଉଛନ୍ତି ୧୧୯ ନମ୍ବର କରୋନା ଆକ୍ରାନ୍ତ।
ମୃତ ଆକ୍ରାନ୍ତଙ୍କ ବୟସ ୭୭ ବର୍ଷ ଓ ଭୁବନେଶ୍ବର ମଧୂସୁଦନ ନଗର ଅଞ୍ଚଳର। ସେ ପୂର୍ବରୁ କିଡନି, ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ଗତକାଲି କିମ୍ସ କୋଭିଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
୪୧ ନମ୍ବର ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ଥିଲେ ମୃତକ। ୨୨ ମାର୍ଚ୍ଚରୁ ଲକଡାଉନ୍ ପରେ ପରିବାର ସହ ସେ ଘରେ ରହିଥିଲେ। ଏପ୍ରିଲ ୭ରେ ପରିବାରର ଜଣେ ସଦସ୍ୟ କରୋନା ରୋଗରେ ଆକ୍ରାନ୍ତ ହୋଇଥିଲେ । ତେବେ ଏପ୍ରିଲ ୯ରେ ତାଙ୍କର ନମୂନା ପରୀକ୍ଷଣ ପରେ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏପ୍ରିଲ ୨୮ରେ ପୁଣି ଥିରେ ତାଙ୍କର ନମୂନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଏପ୍ରିଲ ୨୮ ତାରିଖରେ କିମ୍ସ କୋଭିଡ଼୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମୃତକ। ତେବେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏପ୍ରିଲ ୬ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଝାରପଡ଼ାର ୭୨ ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା। କ୍ରୋନିକ ହାଇପରଟେନସନ ଯୋଗୁଁ ଝାରପଡା ଅଂଚଳର ଵ୍ୟକ୍ତି ଜଣକ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି ହୋଇଥିଲେ। ଠିକ ମାସକ ପରେ ଓଡ଼ିଶାରେ ଦ୍ଵିତୀୟ କରୋନା ମୃତ୍ୟୁ ହୋଇଛି ।
ରାଜ୍ୟରେ ବର୍ତ୍ତମାନ ୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ସୁସ୍ଥ ହୋଇଛନ୍ତି। ଅବଶିଷ୍ଟ ୧୧୫ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।