ଦେଶରେ ଆଜିଠୁ ବିମାନ ସେବା ଆରମ୍ଭ, ଏହି ୨ ରାଜ୍ୟରେ ଉଡ଼ିବ ନାହିଁ ବିମାନ
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଓ ଲକ୍ଡାଉନ୍ କଟକଣା ପାଇଁ ଦେଶରେ ଘରୋଇ ବିମାନ ସେବା ବନ୍ଦ ରହିଥିଲା। ହେଲେ ପ୍ରାୟ ୨ ମାସ ପରେ ଆଜି ଦେଶରେ ବିମାନ ସେବା ଆରମ୍ଭ ହୋଇଛି। ହେଲେ ୨ଟି ରାଜ୍ୟକୁ ଛାଡ଼ି ଦେଲେ ଦେଶରେ ବିମାନ ସେବା ଆରମ୍ଭ ହୋଇଯାଇଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟୁଇଟ କରି କହିଛନ୍ତି ଯେ, ୨ ରାଜ୍ୟକୁ ଛାଡ଼ି ଦେଲେ ଦେଶରେ ବିମାନ ସେବା ଆରମ୍ଭ ହୋଇଯାଇଛି। ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରେଦେଶରେ ବିମାନ ଚଳାଚଳ ସେବା ଉପଲବ୍ଧ ହୋଇ ନାହିଁ। ଆନ୍ଧ୍ର ପ୍ରଦେଶରେ ମେ ୨୬ରୁ ଏବଂ ପଶ୍ଚିମବଙ୍ଗରେ ମେ ୨୮ରୁ ବିମାନ ସେବା ଆରମ୍ଭ ହୋଇଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।
It has been a long day of hard negotiations with various state govts to recommence civil aviation operations in the country.
Except Andhra Pradesh which will start on 26/5 & West Bengal on 28/5, domestic flights will recommence across the country from tomorrow.
— Hardeep Singh Puri (@HardeepSPuri) May 24, 2020
ରାଜ୍ୟ ଓଡ଼ିଶାରେ ୨ଟି ବିମାନ ବନ୍ଦର ଥିବା ବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏସ୍ଓପି ଅନୁଯାୟୀ ଭୁବନେଶ୍ବର ବିମାନବନ୍ଦରକୁ ଏବେ ୧୦ଟି ବିମାନ ଆସିବ ଓ ୧୦ଟି ବିମାନ ଯିବାକୁ ଅନୁମତି ମିଳିଛି। ଅପରପକ୍ଷେ ଝାରସୁଗୁଡ଼ା ବିମାନ ବନ୍ଦରକୁ ୩ରୁ ୪ଟି ବିମାନ ଚଳାଚଳ କରିବ ବୋଲି ସୂଚନା ରହିଛି।
ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ହାଇଦ୍ରାବାଦରୁ ଭୁବନେଶ୍ବର ଆସି ଏଠାରେ ସକାଳ ୮ଟା ୧୦ରେ ପହଞ୍ଚିବ। ଏଠାରୁ ହାଇଦ୍ରାବାଦ ଅଭିମୁଖେ ୮ଟା ୪୦ରେ ଉଡ଼ାଣ କରିବ। ଭିସ୍ତାରା ବିମାନ ଦିଲ୍ଲୀରୁ ଆସି ୯ଟା ୫ରେ ପହଞ୍ଚିବ ଏବଂ ଏଠାରୁ ୯ଟା ୪୦ରେ ଯିବ। ଆଲିଆନ୍ସ ଏୟାରର ବିମାନ ଝାରସୁଗୁଡ଼ାରୁ ଆସି ଏଠାରେ ୧୦ଟା ୧୦ରେ ପହଞ୍ଚିବ ଓ ଏଠାରୁ ୧୦ଟା ୪୦ରେ ଯିବ। ଇଣ୍ଡିଗୋ ବିମାନ କୋଲକାତାରୁ ଆସି ଅପରାହ୍ନ ୪ଟା ୩୦ରେ ପହଞ୍ଚିବ ଓ ଏଠାରୁ ୫ଟାରେ ଯିବ। ଇଣ୍ଡିଗୋ ବିମାନ ଚେନ୍ନାଇରୁ ଆସି ୫ଟା ୩୦ରେ ପହଞ୍ଚିବ ଓ ଏଠାରୁ ୬ଟାରେ ଯିବ। ଏୟାର ଇଣ୍ଡିଆ ବିମାନ ଦିଲ୍ଲୀରୁ ଆସି ଏଠାରେ ୬ଟା ୩୦ରେ ପହଞ୍ଚିବ ଓ ଏଠାରୁ ୭ଟା ୧୦ରେ ଯିବ। ଏୟାର ଏସିଆ ବିମାନ ବେଙ୍ଗାଲୁରୁରୁ ଆସି ୭ଟା ୩୫ରେ ପହଞ୍ଚିବ ଓ ୮ଟା ୧୦ରେ ଯିବ। ଇଣ୍ଡିଗୋ ବିମାନ ବେଙ୍ଗାଲୁରୁରୁ ଆସି ୮ଟା ୩୫ରେ ପହଞ୍ଚିବ ଓ ୯ଟା ୧୦ରେ ଯିବ। ଇଣ୍ଡିଗୋ ବିମାନ ମୁମ୍ବାଇରୁ ଆସି ୯ଟା ୩୫ରେ ପହଞ୍ଚିବ ଓ ୧୦ଟା ୫ରେ ଯିବ। ଇଣ୍ଡିଗୋ ବିମାନ ଦିଲ୍ଲୀରୁ ଆସି ରାତି ୧୦ଟା ୩୦ରେ ପହଞ୍ଚିବ ଓ ରାତି ୧୧ଟାରେ ଏଠାରୁ ଯିବ।
ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ସୋମବାର ଠାରୁ ବିମାନ ଚଳାଚଳ ସ୍ବାଭାବିକ କରିବା ପାଇଁ ମକ୍ ଡ୍ରିଲ୍ କରାଯାଇଥିଲା। ଏଥିରେ ସମସ୍ତ ବିମାନ ଉଡ଼ାଣ କମ୍ପାନିର କର୍ମଚାରୀ, ସିଆଇଏସ୍ଏଫ୍ ଯବାନଙ୍କୁ ନେଇ ମକ୍ ଡ୍ରିଲ୍ ହୋଇଥିଲା। ବିମାନବନ୍ଦରରେ ସାମାଜିକ ଦୂରତା ରକ୍ଷା ପାଇଁ ବୃତ୍ତାକାର ଚିହ୍ନ, ସ୍ବଚ୍ଛ କାଚ, ସ୍ବତନ୍ତ୍ର କ୍ୟାମେରା, ସାନିଟାଇଜର୍, ହ୍ୟାଣ୍ଡୱାସ୍ ରଖାଯାଇଛି। ଟର୍ମିନାଲ ବାହାର ଓ ଭିତର ଅଞ୍ଚଳ, ଟ୍ରଲି, ଟ୍ରେ, ଏକ୍ସରେ ମେସିନ୍ ଆଦିକୁ ନିୟମିତ ବିଶୋଧନ କରାଯିବ। ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ। ଭୁବନେଶ୍ବର ବିମାନବନ୍ଦରକୁ ଟଚ୍ ଫ୍ରି ବିମାନବନ୍ଦର କରାଯାଇଥିବାରୁ ଯାତ୍ରୀଙ୍କୁ ସ୍ପର୍ଶ ନକରି ଯେପରି ସମସ୍ତ ଯାଞ୍ଚ୍, ଚେକ୍ ଇନ୍ ହୋଇପାରିବ ସେ ବ୍ୟବସ୍ଥା କରାଯାଉଛି।
Comments are closed.