Odisha Link
Bridging the Missing Links in Odisha

ମଦ ହୋମ୍‌ ଡେଲିଭରୀ: ସରକାରୀ ନିର୍ଦ୍ଦେଶ ପରେ ବି ଖୋଲୁନି ଦୋକନ, ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ଠାରୁ ରାଜ୍ୟରେ ମଦ ଦୋକାନ ଖୋଲିବା ଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ତେବେ ଦୋକାନରେ ସିଧାସଳଖ ଖାଉଟିଙ୍କୁ ମଦ ବିକ୍ରି ହୋଇପାରିବନାହିଁ। ବରଂ ହୋମ୍‌ ଡେଲିଭରୀ ହେବ ବୋଲି ଓଡ଼ିଶା ରାଜ୍ୟ ମଦ ନିଗମ ନିର୍ଦ୍ଦେଶ ଦେଇଛି। ମଦ ଉପରେ ୫୦% କୋଭିଡ୍‌ କର ବସାଇଛି ମଦ ନିଗମ। ଏ ନେଇ ନିଗମ ପକ୍ଷରୁ ଦରତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଜିଲ୍ଲା ଓ୍ବାରି ମଦ ଦୋକାନଗୁଡ଼ିକର ଫୋନ୍‌ ନମ୍ବର ଜାରି ହୋଇଛି। ଗ୍ରାହକମାନେ ଏହି ନମ୍ବରରେ ଫୋନ୍‌ କରି ମଦ କ୍ରୟ କରିପାରିବେ। ଏହା ଭିନ୍ନ ସହରାଞ୍ଚଳରେ ଦୁଇ ପ୍ରମୁଖ ଖାଦ୍ୟ ହୋମ୍‌ ଡେଲିଭରୀ ସଂସ୍ଥା ସ୍ବିଗି ଓ ଜମାଟୋକୁ ମଧ୍ୟ ମଦ ଡେଲିଭରୀ ପାଇଁ ଅନୁମୋଦନ (ଏନ୍‌ଓସି) ମିଳିଛି। ଡେଲିଭରୀ ଦର ମଧ୍ୟ ନିଗମ ପକ୍ଷରୁ ସ୍ଥିର ହୋଇଛି।

ଏତେ ସବୁ ସତ୍ତ୍ବେ ଆଜି ମଦ ଦୋକାନ ଖୋଲିନାହିଁ। ସରକାର ଦେଇଥିବା ଫୋନ ନମ୍ବରଗୁଡ଼ିକରେ କଲ୍‌ କଲେ ଉତ୍ତର ମିଳୁନି, କିଛି ନମ୍ବର ବନ୍ଦ ଅଛି ଓ ଆଉ କିଛି ନମ୍ବରରେ ମଦ ଦୋକାନ ବନ୍ଦ ରହିଛି ବୋଲି ଶୁଣିବାକୁ ମିଳୁଛି। ଅନ୍‌ ଲାଇନ୍‌ ମଦ ବିକ୍ରିକୁ ନେଇ ଉପୁଜିଥିବା ସମ୍ଭାବ୍ୟ ସମସ୍ୟା ସମାଧାନ ନ ହେବା ଯାଏଁ ମଦ ବିକ୍ରି ସମ୍ଭବ ନୁହେଁ ବୋଲି କହିଛନ୍ତି ବିଭିନ୍ନ ମଦ ବ୍ୟବସାୟୀ ସଂଘର କର୍ମକର୍ତ୍ତା। ଏ ନେଇ ଆମେ ଭୁବନେଶ୍ବର ଓ କଟକର କିଛି ବ୍ୟବସାୟୀଙ୍କ ସହ କଥା ହୋଇଥିଲୁ। ମଦ ବିକ୍ରି ନେଇ ଉପୁଜିଥିବା ନିମ୍ନଲିଖିତ ସମ୍ଭାବ୍ୟ ସମସ୍ୟାଗୁଡ଼ିକ ବାବଦରେ ବିକ୍ରେତାମାନେ ପ୍ରଶ୍ନ ଉଠାଇଛନ୍ତି।

  • ସରକାର କହିଛନ୍ତି ଦୋକାନ ଖୋଲିବ ନାହିଁ। କିନ୍ତୁ ଅନ୍‌ଲାଇନ୍‌ରେ ବିକ୍ରି ହେଲେ ବି ମଦ ଦୋକାନ ଖୋଲିବାକୁ ପଡ଼ିବ।
  • ଦୋକାନ ଆଗରେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପ୍ରଦାନ କରିବ କିଏ?
  • ଡେଲିଭରୀ ବଏ ମଦ ନେଇ ଯିବା ବେଳେ ତାଙ୍କୁ ସୁରକ୍ଷା ଦେବ କିଏ? ମଦ ଛଡ଼ାଇ ନେଲେ କ’ଣ କରାଯିବ?
  • ଗ୍ରାମାଞ୍ଚଳମାନଙ୍କରେ ଆକ୍ରମଣ, ରାହାଜାନୀ, ମଦ ଚୋରୀ ଓ ତଦ୍‌ଜନିତ ଗଣ୍ଡଗୋଳର ଆଶଙ୍କା ଅଧିକ। ଏପରିକି ମଦ ଦୋକାନ ଖୋଲା ଅଛି ଦେଖିଲେ ଲୋକେ ସେଠାରେ ଗଣ୍ଡଗୋଳ ଓ ଭ‌ଗାରୁଜା କରିବାର ସମସ୍ୟା ରହିଛି।
  • ଠିପିଖୋଲା ଓ ବାର୍‌ଗୁଡ଼ିକରେ ହୋମ୍‌ ଡେଲିଭରୀ ସେବାର ରୂପରେଖ କ’ଣ ରହିବ?
  • ନିର୍ଦ୍ଦିଷ୍ଟ ପରିମାଣର ମଦ ବିକ୍ରି (ଏମ୍‌ଜିକ୍ୟୁ) ପାଇଁ ସରକରଙ୍କର ତାଗିଦା ରହିଛି। ବିକ୍ରି ନ ହେଲେ ମଧ୍ୟ ବ୍ୟବସାୟୀଙ୍କୁ ସେତିକି ପରିମାଣ ମଦ ପାଇଁ ରାଜସ୍ବ ଦେବାକୁ ହେବ। କେବଳ ଅନ୍‌ଲାଇନ୍‌ରେ ମଦ ବିକ୍ରି ହେଲେ ଏ ଲକ୍ଷ୍ୟ ପୂରଣ ହୋଇ ନ ପାରେ।

ସାଧାରଣତଃ ଏମ୍ଆର୍‌ପି ଠାରୁ ଅଧିକ ଦରରେ ମଦ ବିକ୍ରି ହୋଇଥାଏ। ନିଜର ନାମ ଗୋପନ ରଖି ଜଣେ ବ୍ୟବସାୟୀ ଅଧିକ ଦରମରେ ବିକ୍ରି ପଛର କାରଣ କହିଛନ୍ତି। ଗୋଟିଏ ବୋତଲ ବିଅର ପିଛା ୫-୧୦ ଟଙ୍କା, ହ୍ବିସ୍କି, ରମ୍‌ ଓ ଓ୍ବାଇନ୍‌ ବୋତଲ ପିଛା ୧୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ। ଏ ନେଇ ପ୍ରାୟ ଗ୍ରାହକ ପ୍ରତିବାଦ କରି ନ ଥାନ୍ତି। ପ୍ରତିବାଦ କରୁଥିବା ଗ୍ରାହକଙ୍କୁ “ନିକଟରେ ଦାମ ବଢ଼ିଛି, ପୁରୁଣା ଏମ୍‌ଆର୍‌ପି ଛପା ଅଛି” ବୋଲି ବ୍ୟବସାୟୀ କହି ଥାଆନ୍ତି। କିଛି ବାର୍‌ ଓ ଠିପି ଖୋଲାକୁ ଛାଡ଼ିଦେଲେ ଗ୍ରାହକଙ୍କୁ ବିକ୍ରି ବାବଦରେ କୌଣସି ରସିଦ ଦେଇ ନଥାନ୍ତି ମଦ ବ୍ୟବସାୟୀ। ଏହି ଅଧିକ ଟଙ୍କା ଥାନା, ସରକାରୀ ଅଧିକାରୀ, ନେତା ଓ ସ୍ଥାନୀୟ ପ୍ରଭାବଶାଳୀଙ୍କୁ ଚାନ୍ଦା ଦେବାରେ ବ୍ୟବହାର କରାଯାଏ ବୋଲି ସେ ସୂଚନା ଦେଇଛନ୍ତି। ଅନ୍‌ଲାଇନ୍‌ରେ ମଦ ବିକ୍ରି ହେଲେ ସରକାରଙ୍କ ନିର୍ଦ୍ଧାରିତ ଦର ପାଇଁ ରସିଦ ଦେବାକୁ ପଡ଼ିବ ବୋଲି କିଛି ବ୍ୟବସାୟୀ ଚିନ୍ତାରେ ଅଛନ୍ତି। ଏଭଳି ହେଲେ ଅଧିକ ଦରରେ ବିକ୍ରି କରି ହେବନାହିଁ।

ଏମିତି କିଛି ସମସ୍ୟା ନେଇ ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟୀମାନେ ପୁଲିସ ଓ ପ୍ରଶାସନ ସହ ଆଲୋଚନା କରୁଛନ୍ତି। ଯଦି କିଛି ସମାଧାନର ପନ୍ଥା ବାହାରେ ତେବେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅନ୍‌ଲାଇନ୍‌ରେ ମଦ ବିକ୍ରି ଆରମ୍ଭ ହେବ।

Comments are closed.