Odisha Link
Bridging the Missing Links in Odisha

ରାଜ୍ୟରେ ବଦଳିଲା କ୍ବାରାଣ୍ଟିନ୍‌ ନିୟମ

ଭୁବନେଶ୍ୱର: ବିଗତ କିଛି ଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷେ ରାଜ୍ୟରେ କ୍ବାରାଣ୍ଟିନ୍‌ ନିୟମ ବଦଳାଇଲେ ରାଜ୍ୟ ସରକାର। ଏଣିକି ପ୍ରବାସୀ ଓଡ଼ିଆମାନେ ୨୧ ଦିନ ବଦଳରେ ୧୪ ଦିନ କ୍ବାରାଣ୍ଟିନ୍‌ରେ ରହିବେ। ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।

ବାହାର ରାଜ୍ୟରୁ ଗାଁକୁ ଫେରୁଥିବା ପ୍ରବାସୀମାନେ ପ୍ରଥମ ୭ ଦିନ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହିବା ବାଧ୍ୟତାମୂଳକ। କରୋନା ଲକ୍ଷଣ ନ ଥିଲେ ସେମାନଙ୍କୁ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଛାଡ଼ି ଦିଆଯିବ। ହେଲେ ନିଜ ଘରେ ଆଉ ୭ ଦିନ ପାଇଁ କ୍ୱାରେଣ୍ଟିନ୍‌ରେ ରହିବେ ବୋଲି ଏସ୍‌ଆର୍‌ସି କହିଛନ୍ତି।

ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରେ କୌଣସି ଲକ୍ଷଣ ଥିଲେ ବା ତାଙ୍କଦ୍ୱାରା କରୋନା ବ୍ୟାପିବାର କୌଣସି ଆଶଙ୍କା ଥିବା ଅନୁଭବ କରନ୍ତି ତା’ହେଲେ ସ୍ଥାନୀୟ ପ୍ରାଶାସନିକ ଅଧିକାରୀ ତାଙ୍କ କ୍ବାରାଣ୍ଟିନ୍ ଅବଧି ବୃଦ୍ଧି କରିପାରିବେ। ଏହି ସମୟରେ ତାଙ୍କୁ କ୍ବାରାଣ୍ଟିନ୍‌ ସେଣ୍ଟରରେ ହିଁ ରଖାଯିବ। କ୍ବାରାଣ୍ଟିନ୍‌ରେ ଥିବାବେଳେ ଯଦି କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦିଏ, ତାଙ୍କୁ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯିବ।

ସେହିପରି ସହରାଞ୍ଚଳ ଲୋକଙ୍କ ପାଇଁ ମଧ୍ୟ କ୍ବାରାଣ୍ଟିନ୍ ନିୟମ ବଦଳାଇଛନ୍ତି ସରକାର। ରାଜ୍ୟ ବାହାରୁ ଆସୁଥିବା ସହରାଞ୍ଚଳ ବାସିନ୍ଦା ୧୪ ଦିନ ପାଇଁ ନିଜ ଘରେ କ୍ବାରାଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ। ଯଦି ଘରେ କ୍ବାରାଣ୍ଟିନ୍‌ ରେ ରହିବା ସୁବିଧା ନ ଥିବ ସମ୍ପୃକ୍ତ ବ୍ୟକ୍ତି କ୍ବାରାଣ୍ଟିନ୍ ସେଣ୍ଟରରେ ରହିବେ ନ ହେଲେ ପେଡ୍ କ୍ବାରାଣ୍ଟିନ୍‌ରେ ରହିବେ ବୋଲି ସୂଚନା ରହିଛି।

ଏଥିସହିତ ଏସ୍‌ଆର୍‌ସି ଆହୁରି କହିଛନ୍ତି, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇଥିଲେ ବି ଚିନ୍ତାଜନକ ନୁହେଁ। ପ୍ରବାସୀଙ୍କୁ କ୍ବାରାଣ୍ଟିନ୍ରେ ରଖା ଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ଅନ୍ୟ ରାଜ୍ୟରୁ ଯଦି କୌଣସି ପ୍ରବାସୀ ଆସୁଛନ୍ତି ଏନେଇ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଅନ୍ତୁ।

Comments are closed.