Odisha Link
Bridging the Missing Links in Odisha

ମଦ ହୋମ୍‌ ଡେଲିଭରୀ ଦେବେ କହି ଲୁଟିନେଲେ ୧.୭୫ ଲକ୍ଷ ଟଙ୍କା

ଭୁବନେଶ୍ବର: ଗତକାଲି ଠାରୁ ରାଜ୍ୟରେ ମଦ ବିକ୍ରି ଆରମ୍ଭ ହୋଇଥିବା ବେଳେ କାଉଣ୍ଟରରେ ଅଫ୍‌ଲାଇନ୍‌ ବିକ୍ରି ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଅନ୍ୟପଟେ ରାଜ୍ୟରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ ମଦ ବିକ୍ରିକୁ ଅନୁମତି ଦିଆଯାଇଛି। ଏହି ମଉକାରେ ଗରେ ମଦ ପହଞ୍ଚାଇ ଦେବେ କହି ସାଇବର ଠକମାନେ ଭୁବନେଶ୍ବର ଓ କଟକରେ ୨ ଜଣ ଯୁବକଙ୍କୁ ୧ ଲକ୍ଷ ୭୫ ହଜାର ଟଙ୍କା ଚୂନା ଲଗାଇଛନ୍ତି।

ଏକ ମିଛ ଇ-କମର୍ସ ପୋର୍ଟାଲରୁ ଅନ୍‌ଲାଇନ୍‌ରେ ମଦ କିଣିବାକୁ ଉଦ୍ୟମ କରି ଭୁବନେଶ୍ବରର ବ୍ୟବସାୟୀ ବିପି ରାଉତରାୟ ୧.୩୯ ଲକ୍ଷ ଟଙ୍କା ହରାଇଥଇବା ବେଳେ କଟକ ନିଆଳି ଅଞ୍ଚଳର ରାଜେନ୍ଦ୍ର ସାହୁ ୩୬,୦୦୦ ଟଙ୍କା ହରାଇଛନ୍ତି। ଉଭୟଙ୍କ ଆକାଉଣ୍ଟରୁ ଟଙ୍କା ଭିଡ଼ି ନେଇଛନ୍ତି ସାଇବର ଠକ।

ଗୁଗୁଲ ସର୍ଚ୍ଚରୁ ଏକ ଲିଙ୍କ ପାଇ ଭୁବନେଶ୍ବରର ରାଉତରାୟ ତୁରନ୍ତ ମଦ ଅର୍ଡର କରିଥିଲେ। କଟକ ରୋଡର କାଦମ୍ବରୀ ଓ୍ବାଇନ ସପ୍‌ରୁ ମଦ ମିଳିବ ବୋଲି ଏଥିରେ ଉଲ୍ଲେଖ ଥିଲା। ପ୍ରଦତ୍ତ ଫୋନ୍‌ ନମ୍ବରରେ ରାଉତରାୟ ଫୋନ୍‌ କରିବାରୁ ସେପଟୁ ଫୋନ୍‌ପେରେ ୨୦୦ ଟଙ୍କା ଅଗ୍ରୀମ ମାଗିଥିଲେ। ରାଉତରାୟ ତୁରନ୍ତ ୨୦୦ ଟଙ୍କା ଦେଇଥିଲେ। ଏହା ପରେ ଠକ ଜଣକ ରାଉତରାୟଙ୍କ ହ୍ବାଟ୍ସଆପ୍‌କୁ ଏକ ବାର କୋଡ୍‌ ଲିଙ୍କପଠାଇଥିଲେ। ଏହା ଉପରେ କ୍ଲିକ୍‌ କରି ଅର୍ଡର ନିଶ୍ଚିତ କରିବାକୁ ଠକ କହିଥିଲେ। ରାଉତରାୟ ଲିଙ୍କ ଉପରେ କ୍ଲିକ୍‌ କରିବା ପରେ ତାଙ୍କର ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଥିଲା। ଏହା ପରେ ସେ ବ୍ୟାଙ୍କରୁ ଗୋଟିଏ ପରେ ଗୋଟିଏ ଉଇଥଡ୍ରୟାଲ ମେସେଜ୍‌ ପାଇଥିଲେ। କିଛି ଭାବିବା ଆଗରୁ ତାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ୩୯ ହଜାର ଟଙ୍କା କଟି ସାରିଥିଲା। ଏ ନେଇ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି।

ଅନୁରୂପ ଭାବେ କଟକର ରାଜେନ୍ଦ୍ର ସାହୁଙ୍କୁ ଠକ ପ୍ରଥମେ ୯୫୦ ଟଙ୍କା ମାଗିଥିଲେ। ସେ ଏହା ଦେବା ପରେ ଠକ ଏକ ବାର୍‌କୋଡ୍‌ ଲିଙ୍କ୍‌ ପଠାଇଥିଲେ। ରେଜେନ୍ଦ୍ର ଅର୍ଡର କନଫର୍ମ କରିବାକୁ ଯାଇ ଲିଙ୍କ ଉପରେ କ୍ଲିକ୍‌ କରିବାରୁ ତାଙ୍କ ଆକାଉଣ୍ଟରୁ ମଧ୍ୟ ୩୬,୦୦୦ ଟଙ୍କା କଟିଯାଇଛି। ଏ ନେଇ ସେ ନିଆଳି ଥାନାରେ ଅଭିଯୋଗ କରିଛନ୍ତି।

Comments are closed.