Odisha Link
Bridging the Missing Links in Odisha

ଖୋଲିଲା ଝାରସୁଗୁଡ଼ା ବିମାନବନ୍ଦର: ପ୍ରଥମ ଦିନରେ ଆସିଲେ ୧୨୯, ଗଲେ ୮୪

ଝାରସୁଗୁଡ଼ା: ଲକ୍‌ଡାଉନ୍‌ କାରଣରୁ ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ସୋମବାର ଦିନ ଝାରସୁଗୁଡ଼ା ବିମାନବନ୍ଦର ପୁଣି କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ଦିନରେ ୫ଟି ବିମାନ ଯିବା-ଆସିବା କରିବାର ଥିବା ବେଳେ ୩ଟି ବାତିଲ ହୋଇଯାଇଛି। ଦୁଇଟି ସ୍ପାଇସ୍‌ଜେଟ୍‌ ବିମାନ ଆସିଥିବା ବେଳେ ସମାନ ବିମାନ ଦ୍ବୟ ପୁଣି ଏଠାରୁ ଯାତ୍ରୀ ନେଇ ଫେରିଛି। ଉଭୟ ବିମାନରେ ମୋଟ ୧୨୯ ଜଣ ଯାତ୍ରୀ ଝାରସୁଗୁଡ଼ା ଆସିଛନ୍ତି ଓ ୮୪ ଜଣ ଏଠାରୁ ଅନ୍ୟ ରାଜ୍ୟକୁ ଯାଇଛନ୍ତି।

ହାଇଦ୍ରାବାଦ୍‌ରୁ ୪୩ ଜଣ ଯାତ୍ରୀ ଝାରସୁଗୁଡ଼ା ଆସିଥିବା ବେଳେ ୧୯ ଜଣ ଯାତ୍ରୀ ଏଠାରୁ ହାଇଦ୍ରାବାଦ ଯାଇଛନ୍ତି। ସେହିପରି ଦିଲ୍ଲୀରୁ ୮୬ ଜଣ ଆସିଥିବା ବେଳେ ୬୫ ଜଣ ଏଠାରୁ ଦିଲ୍ଲୀକୁ ଯାଇଛନ୍ତି।

ଆଲିଆନ୍ସ ବିମାନ ଝାରସୁଗୁଡ଼ାରୁ କୋଲାକାତା ଓ ଝାରସୁଗୁଡ଼ାରୁ ଭୁବନେଶ୍ବକୁ ଯିବା ଆସିବା କରିବାର ଥିବା ବେଳେ ତାହା ବାତିଲ ହୋଇଯାଇଥିଲା। ଅନୁରୂପ ଭାବେ କୋଲକାତାରୁ ଆସିବାକୁ ଥିବା ସ୍ପାଇସ୍‌ଜେଟ୍‌ ବିମାନ ମଧ୍ୟ ବାତିଲ ହୋଇଥିଲା।

ଲକ୍‌ଡାଉନ୍‌ ପୂର୍ବରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ରାଜ୍ୟ ଓ ରାଜ୍ୟ ବାହାରେ ୫ଟି ସହରକୁ ୬ଟି ନିୟମିତ ବିମାନ ଚାଲୁଥିଲା। ଆଲିଆନ୍ସ ଏୟାର (ଏୟାର ଇଣ୍ଡିଆର ଏକ ଉପକ୍ରମ) ଏଠାରୁ କୋଲକାତା, ଭୁବନେଶ୍ବର ଓ ରାୟପୁରକୁ ସଂଯୋଗ କରୁଥିବା ବେଳେ ସ୍ପାଇସ୍‌ଜେଟ୍‌ ବିମାନ କୋଲକାତା, ଦିଲ୍ଲୀ ଓ ହାଇଦ୍ରାବାଦ ଯାଉଥିଲା।

Comments are closed.