Odisha Link
Bridging the Missing Links in Odisha

ସନ୍ଥକବି ଭୀମ ଭୋଇ: ଆଜି ୧୭୧ତମ ଜୟନ୍ତୀ

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେ’ବା ସହୁ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।।

ଏହି କାଳଜୟୀ ଦୁଇ ଧାଡ଼ିରୁ ହିଁ ସନ୍ଥ କବି ଭୀମ ଭୋଇଙ୍କ ମାନବପ୍ରୀତି ଓ ଜଗତକଲ୍ୟାଣକାରୀ ମନଭାବର ପରିଚୟ ମିଳେ। ଆଜି ସେହି ମହାନ ଭକ୍ତିମାର୍ଗୀଙ୍କର ୧୭୧ ତମ ଜୟନ୍ତୀ। ୧୮୫୦ ମସିହା ଆଜିର ତାରିଖରେ (ମେ’ ୨୫) ଜନ୍ମଗ୍ରହଣ କରିଥିଲେ ଏହି ଯୋଗଜନ୍ମା ପ୍ରଜ୍ଞାପୁରୁଷ। ସେଦିନ ତିଥି ଅନୁସାରେ ଥିଲା ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା।

ଓଡ଼ିଶାର ସୋନପୁର ଜିଲ୍ଲା ସୁବଳୟା ନିକଟ ଜାତେସିଂହ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ମହିମା ଧର୍ମ ପ୍ରଚାରକ କବି ଭୀମ ଭୋଇ ନିଜର ପ୍ରଜ୍ଞା ଓ କବିତ୍ବ ପାଇଁ ସମଗ୍ର ବିଶ୍ବରେ ପରିଚିତ। କନ୍ଧ ଜନଜାତିର ଏହି କବି ବସନ୍ତ ରୋଗରେ ପୀଡ଼ିତ ହୋଇ ବାଲ୍ୟାବସ୍ଥାରେ ଦୃଷ୍ଟିଶକ୍ତି ହରାଇଥିଲେ ବୋଲି କିଛି ଗବେଷକ ଉଲ୍ଲେଖ କରିଥିଲେ ହେଁ ତାଙ୍କର ଅନ୍ଧତ୍ବ ନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ଏଯାବତ ନାହିଁ। ଶିକ୍ଷା ବର୍ଜିତ ଓ ସମ୍ପୂର୍ଣ୍ଣ ନିରକ୍ଷର ଥିବା ଯୋଗୁଁ ଅନ୍ୟାନ୍ୟ କବିମାନଙ୍କ ରଚନା ତାଙ୍କୁ ପ୍ରଭାବିତ କରିପାରିନଥିଲା। ସେ ନିଜର ଜନ୍ମଜାତ ପ୍ରତିଭା ବଳରେ ହିଁ କବିତ୍ବର ପରାକାଷ୍ଠା ଦେଖାଇଥିଲେ। ତାଙ୍କର ଭଜନ, ଜଣାଣ ଓ ଗୀତ ମାଧ୍ୟମରେ ସେ ମହିମା ଧର୍ମର ପ୍ରଚାର ସାଙ୍ଗକୁ ଜଗନ୍ନାଥ ଭକ୍ତି ମଧ୍ୟ ଦେଖାଇଛନ୍ତି। ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁ ଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାର ବିରୋଧରେ ସେ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ।

ତାଙ୍କ ରଚନା ଅନୁଯାୟୀ ମହିମା ଗୋସାଇଁ ତାଙ୍କୁ ମହିମା ଧର୍ମ ବା ଅଲେଖ ଧର୍ମର ପ୍ରଚାର କରିବାପାଇଁ ଆଦେଶ ଦେଇଥିଲେ। ମହିମା ଗୋସାଇଁଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ସୋନପୁର ଜିଲ୍ଲା ଖଲିଆପାଲି ଠାରେ ସତ୍ୟ ମହିମା ଧର୍ମର ବିକାଶରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ସେହି ଖଲିଆପାଲି ଆଶ୍ରମରେ ହିଁ ୧୮୯୫ ଫେବ୍ରୁଆରୀ ୨୨ ତାରିଖ ଶିବରାତ୍ରିରେ ତାଙ୍କର ମହାପ୍ରୟାଣ ହୋଇଥିଲା।

ଯଦିଓ ଭୀମ ଭୋଇଙ୍କ ଗୁରୁ ମହିମା ଗୋସାଇଁଙ୍କୁ ମହିମା ଧର୍ମର ପ୍ରକୃତ ପ୍ରତିଷ୍ଠାତା ବୋଲି କୁହାଯାଏ, ତେବେ ଭୀମଙ୍କ ଲିଖିତ ଆଧ୍ୟାତ୍ମିକ ପ୍ରାର୍ଥନାସବୁ ହିଁ ଉକ୍ତ ମତବାଦର ପ୍ରଚାର ପ୍ରସାରରେ ବେଶ୍ ସହାୟକ ହୋଇଥିଲା।ଭୀମ ଭୋଇଙ୍କ କବିତା ଓ ଦର୍ଶନ ସଂପର୍କରେ ଅନେକ କଥା ଜଣାଥିଲେ ମଧ୍ୟ ତାଙ୍କ ଜୀବନ କାହାଣୀ ଏବେ ବି ରହସ୍ୟମୟ। ତାଙ୍କ ଜନ୍ମସ୍ଥାନ, ପିତାମାତା, ଶିକ୍ଷା ଆଦି ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଉପଲବ୍ଧ ନାହିଁ। କେତେକ ଗବେଷକଙ୍କ ମତରେ ତାଙ୍କ ଜନ୍ମ ବର୍ଷ ୧୮୪୬। ତାଙ୍କର ପ୍ରାରମ୍ଭିକ ଜୀବନ ପଶ୍ଚିମ ଓଡ଼ିଶାର ରେଢ଼ାଖୋଲ ଓ ବୀରମହାରାଜପୁର ଅଞ୍ଚଳରେ କଟିଥିଲା। ତାଙ୍କ କବିତାରେ ସେ ଉଲ୍ଲେଖ କରିଛନ୍ତି, ତାଙ୍କୁ ଚାରିବର୍ଷ ବୟସ ବେଳକୁ ସେ ଭିକ୍ଷା କରୁଥିବା ଜଣେ ସିଦ୍ଧଯୋଗୀଙ୍କ ଦେହରେ ଶଙ୍ଖ ଚକ୍ର ଚିହ୍ନ ଦେଖିଥିଲେ। ତାହା ହିଁ ଥିଲା ମହିମା ଗୋସାଇଁଙ୍କ ସହ ଭୀମଙ୍କ ପ୍ରଥମ ସାକ୍ଷାତ, ଯିଏକି ପରେ ତାଙ୍କ ଗୁରୁ ହୋଇଥିଲେ। ବୟସ ବଢ଼ିବା ସହ ଗରିବ ଅସହାୟ ଭୀମ ଲୋକଙ୍କ କ୍ଷେତଖଳାରେ କାମ କରିବା ଓ ଜଙ୍ଗଲରେ ଗାଈ ଚରାଇବା କାମରେ ନିୟୋଜିତ ହେଲେ। କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରି ନ ଥିଲେ ବି ସେ ତୀବ୍ର ସ୍ମରଣଶକ୍ତି ଓ ମଧୁର ସ୍ୱରର ଅଧିକାରୀ ଥିଲେ ଏବଂ ଗୀତ ରଚନା କରି ଗାଉଥିଲେ। ମହିମା ଧର୍ମ ଗ୍ରହଣ କରିବା ପୂର୍ବରୁ ସେ ଜଣେ ଗୀତିକାର ଓ ଗାୟକ ଭାବେ ତାଙ୍କ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିସାରିଥିଲେ। ପଶ୍ଚିମ ଓଡ଼ିଶାର ରସରକେଲି, ଡାଲ୍‌ଖାଇ, ଜାଈଫୁଲ ଆଦି ଲୋକଗୀତ ସ୍ବରରେ ରାଧାକୃଷ୍ଣଙ୍କ ଉପରେ ରଚିତ ତାଙ୍କ ପ୍ରେମଗୀତଗୁଡ଼ିକ ତାଙ୍କୁ ବେଶ୍ ଲୋକପ୍ରିୟ କରାଇ ପାରିଥିଲା।

କିମ୍ବଦନ୍ତି ରହିଛି ଯେ, ଥରେ ଭୀମ ଭୋଇ କୂଅରେ ପଡ଼ିଗଲେ ଆଉ ମହିମା ଗୋସାଇଁ ଉଦ୍ଧାର ନ କରିବା ଯାଏଁ ବାହାରିବାକୁ ମନାକଲେ। ଶେଷରେ ମହିମା ଗୋସାଇଁ ଆସି ତାଙ୍କୁ ରକ୍ଷାକଲେ। ମହିମା ଗୋସାଇଁ ଦୁଇଜଣ ବ୍ରାହ୍ମଣ ହରି ପଣ୍ଡା ଓ ବାସୁ ପଣ୍ଡାଙ୍କ ସମେତ ମହିମା ଧର୍ମରେ ଦୀକ୍ଷିତ ମାର୍କଣ୍ଡ ଦାସ ଓ ଧର୍ମାନନ୍ଦ ଦାସଙ୍କୁ ଭୀମଙ୍କ କଥା ଓ କବିତା ଲିପିବଦ୍ଧ କରିବା ପାଇଁ ପଠାଇଲେ। ଦିନକୁ ଦିନ ସେ ଜଣେ କବି ଓ ମହିମା ଧର୍ମର ପ୍ରଚାରକ ଭାବେ ଲୋକପ୍ରିୟ ହେବାକୁ ଲାଗିଲେ।

ମହିମା ଗୋସାଇଁଙ୍କ ଆଜ୍ଞାରେ ଢେଙ୍କାନାଳ ନିକଟସ୍ଥ ମାଧିଗ୍ରାମର ଅନ୍ନପୂର୍ଣ୍ଣା ନାମ୍ନୀ ଜଣେ କନ୍ୟା ଭୀମ ଭୋଇଙ୍କ ପାଖରେ ତାଙ୍କ ଆଧ୍ୟାତ୍ମିକ ସଙ୍ଗୀ ଭାବେ ସମର୍ପିତା ହେଲେ। ଭୀମଙ୍କ ଭକ୍ତ ଓ ଅନୁଗାମୀମାନଙ୍କ ମଧ୍ୟରେ ସେ ମା’ ଅନ୍ନପୂର୍ଣ୍ଣା ଭାବେ ପରିଚିତ ଥିଲେ। ୧୮୭୬ ଫାଲ୍ଗୁନ ଶୁକ୍ଳ ଦଶମୀ ଦିନ ଯୋରନ୍ଦାରେ ମହିମା ଗୋସାଇଁଙ୍କ ମହାପ୍ରୟାଣ ଘଟିଲା। ଏହାପରେ ଅନୁଗାମୀ ସନ୍ନ୍ୟାସୀମାନେ ବଳ୍କଳଧାରୀ ଓ କୌପିନଧାରୀ ଭାବେ ଦୁଇଭାଗ ହୋଇଗଲେ। ଭୀମ ଭୋଇଙ୍କ କବିପ୍ରାଣକୁ ଏହା ଦୁଃଖ ଦେଇଥିଲା। ତେଣୁ ସେ ନିଜର ଏକ ଆଶ୍ରମ କରିବାକୁ ମନସ୍ଥ କଲେ।

ଭୀମ ଭୋଇ ନିଜର ଅନୁଗାମୀମାନଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାର ବିନିକାକୁ ଆସିଲେ। ବିନିକା ନିକଟସ୍ଥ ଗୋଲଣ୍ଡାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଗଲା। ସେଠାରେ ସେ ଗାଁ ଗୌନ୍ତିଆ ଦାନ କରିଥିବ ଜମିରେ ଏକ ଆଶ୍ରମ ସ୍ଥାପନ କଲେ।ସେହି ସମୟରେ ଭୀମ ସୁମେଧା ଓ ରୋହିଣୀ ନାମ୍ନୀ ଦୁଇଜଣ ମହିଳାଙ୍କୁ ଜୀବନ ସଙ୍ଗିନୀ ଭାବେ ଗ୍ରହଣ କରିଥିଲେ ଏବଂ ପରେ ସେମାନେ ଭୀମଙ୍କ ଔରସରୁ ଯଥାକ୍ରମେ ଏକ ପୁତ୍ର ଓ କନ୍ୟା ସନ୍ତାନର ଜନନୀ ହୋଇଥିଲେ।ଜନୈକ ବଳ୍କଳଧାରୀ ସାଧୁ ଭୀମ ଦାସ ତାଙ୍କ ବନ୍ଧୁମାନଙ୍କ ସହ ଯୋରନ୍ଦାରୁ ଆସି ଅଭିଯୋଗ କଲେ ଯେ ଭୀମ ଭୋଇ ତାଙ୍କ ଭଉଣୀ ଅନ୍ନପୂର୍ଣ୍ଣାଙ୍କୁ ଅପହରଣ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ସେତେବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହାକୁ କେହି କେହି ନାଗା ଆକ୍ରମଣ ବୋଲି ଦର୍ଶାଇଥାନ୍ତି। ଉକ୍ତ ଘଟଣା ପରେ ତାଙ୍କୁ ଗୋଲଣ୍ଡା ଛାଡ଼ିବାକୁ ପଡ଼ିଲା। ନିଜ ପରିବାର ଓ ଅନୁଗାମୀମାନଙ୍କ ସହ ଭୀମ ଅଙ୍ଗ ନଦୀ ପାର ହୋଇ ୧୮୭୭ରେ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ଗାଁରେ ପହଞ୍ଚିଲେ। ଖଲିଆପାଲିର ଗଉଡ଼ ଗୌନ୍ତିଆ ଲୋଚନ ବଗର୍ତ୍ତି ତାଙ୍କୁ ଭକ୍ତି ଓ ପ୍ରଶଂସାର ସହ ସ୍ୱାଗତ କରି ଆଶ୍ରମ ନିର୍ମାଣ ପାଇଁ ଜମି ଦେଇଥିଲେ। ଭୀମ ଭୋଇ ଖଲିଆପାଲି ପହଞ୍ଚିବା ଦିନ ବଗର୍ତ୍ତି ପରିବାରରେ ଏକ ଶିଶୁ ଜନ୍ମ ହୋଇଥିଲା, ଯାହାର ନାଁ ଦିଆଗଲା ଭୀମ ବଗର୍ତ୍ତି। ଭୀମ ଭୋଇ ଖଲିଆପାଲିକୁ ତାଙ୍କ ସ୍ଥାୟୀ ବାସସ୍ଥାନ ଭାବେ ଗ୍ରହଣ କରିନେଲେ ଓ ମୃତ୍ୟୁ ଯାଏଁ ସେହିଠାରେ ହିଁ ରହିଥିଲେ। ସେଠାରେ ସେ ପ୍ରାର୍ଥନା କରୁଥିଲେ, ପ୍ରବଚନ ଦେଉଥିଲେ, ଜଗତ ଉଦ୍ଧାର ପାଇଁ ଗୀତ ଲେଖି ଗାଉଥିଲେ। ତାଙ୍କ ଆଧ୍ୟାତ୍ମିକ ସଙ୍ଗୀ ମା’ ଅନ୍ନପୂର୍ଣ୍ଣା ଆଶ୍ରମର ଏକ ମହାନ ଆଧ୍ୟାତ୍ମିକ ଶକ୍ତି ଥିଲେ। ଭୀମ ଭୋଇ ଏକ ସମୟରେ ଚାରିଟି ଗୀତ ଚାରିଜଣ ଲେଖନକାରୀ- ବାସୁ ପଣ୍ଡା, ହରି ପଣ୍ଡା, ମାର୍କଣ୍ଡ ଦାସ ଓ ଧର୍ମାନନ୍ଦ ଦାସଙ୍କୁ ଡାକୁଥିଲେ ଏବଂ ସେମାନେ ଏହାକୁ ତାଳପତ୍ରରେ ଲିପିବଦ୍ଧ କରୁଥିଲେ।

ଓଡ଼ିଶାର ଏହି ଯଶସ୍ବୀ କବି ସ୍ତୁତି ଚିନ୍ତାମଣି, ନିଷେଧ ଗୀତା, ନିର୍ବେଦ ସାଧନ, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ଅନାଦି ସଂହିତା ଓ ଭୀମଭୋଇ ମାଳିକା ସମେତ ବହୁ ଚଉତିଶା, ଜଣାଣ ଆଦି ରଚନା କରି ଯାଇଛନ୍ତି।

ଭୀମ ଭୋଇଙ୍କ ନାମରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଏକ ଚେୟାର ପ୍ରତିଷ୍ଠା କରାଯାଇଥିବା ବେଳେ ବଲାଙ୍ଗୀର ଠାରେ ଥିବା ଭେଷଜ ମହାବିଦ୍ୟାଳୟର ନାମ ଭୀମ ଭୋଇ ମେଡିକାଲ କଲେଜ ରଖାଯାଇଛି।

Comments are closed.