Odisha Link
Bridging the Missing Links in Odisha

ନବ ବିବାହିତାଙ୍କୁ କରୋନା: ବିବାହର ୨ ଦିନ ପରେ କ୍ବାରାଣ୍ଟିନ୍‌ରେ ପୂରା ପରିବାର

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ନବବିବାହିତା ମହିଳାଙ୍କୁ କରୋନା ହୋଇଥିବା ଜଣାପଡ଼ିବା ପରେ ବିବାହ ସୁଖ ମୁଲି ଯାଇଛି। ବିବାହର ମାତ୍ର ଦୁଇଦିନ ପରେ ସବିବାହ କାର୍ଯ୍ୟ କରିଥିବା ପଣ୍ଡିତ ଓ ମହିଳାଙ୍କ ସ୍ବାମୀଙ୍କ ସମେତ ୩୦ ଜଣ ପରିବାର ସଦସ୍ୟଙ୍କୁ କ୍ବାରାଣ୍ଟିନରେ ରହିବାକୁ ପଡ଼ିଛି।

ଭୋପାଳ ଜିଲ୍ଲାର ଜାତ ଖେଡ଼ି ଅଞ୍ଚଳର ମହିଳା ଜଣକ ପଡ଼ୋଶୀ ରାଇସେନ ଜିଲ୍ଲାର ମଣ୍ଡିଦୀପ ଅଞ୍ଚଳର ଜଣେ ଯୁବକଙ୍କୁ ଗତ ମେ’ ୧୮ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ। ଲକ୍‌ଡାଉନ୍‌ ନିୟମ ମାନି ସୀମିତ ପରିବାର ବର୍ଗଙ୍କ ଉପସ୍ଥିତିରେ ସାମାଜିକ ଦୂରତ୍ବ ରକ୍ଷା କରି ସମସ୍ତ କାର୍ଯ୍ୟ କରାଯାଇଥିଲା। ବିବାହ ପରେ ନବଦମ୍ପତି ମଣ୍ଡିଦୀପ ଅଞ୍ଚଳର ସୁଲତାନପୁର ଗାଁକୁ ଫେରିଥିଲେ।

ସୂଚନା ଅନୁସାରେ ବିବାହର ପୂର୍ବ ସପ୍ତାହରେ କନ୍ୟାଜଣକ ଥଣ୍ଡାକାଶରେ ପୀଡ଼ିତ ହୋଇଥିଲେ। ଔଷଧ ଖାଇ ସୁସ୍ଥ ହୋଇଥିଲେ ବି ତାଙ୍କ ପରିବାର ଲୋକ ବିବାହର ଦୁଇଦିନ ପୂର୍ବରୁ ମେ’ ୧୬ରେ ତାଙ୍କର କୋଭିଡ୍‌ ପରୀକ୍ଷଣ କରିଥିଲେ। ଦୁଇଦିନ ପରେ ବିବାହ ହୋଇଥିଲା। ଏହାର ଦୁଇଦିନ ପରେ ମେ’ ୨୦ ତାରିଖରେ ରିପୋର୍ଟ ଆସିବା ପରେ କନ୍ୟା ଜଣକ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା।

ସ୍ଥାନୀୟ ପ୍ରଶାସନ ତୁରନ୍ତ କନ୍ୟାଙ୍କୁ ଭୋପାଳ ଏମ୍‌ସ କୋଭିଡ୍‌ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ବିବାହ କରାଇଥିବା ପଣ୍ଡିତ ଓ କନ୍ୟାଙ୍କ ସ୍ବାମୀଙ୍କ ସମେତ ମୋଟ ୩୨ ଜଣଙ୍କୁ କ୍ବାରାଣ୍ଟିନ୍‌ରେ ରଖିଛନ୍ତି। ଇତି ମଧ୍ୟରେ ୬ ଦିନ ବିତିଥିବା ବେଳେ କନ୍ୟାଙ୍କ ସ୍ବାସ୍ଥ୍ୟ ଭଲ ଥିବା ସୂଚନା ମିଳିଛି।

Comments are closed.