Odisha Link
Bridging the Missing Links in Odisha

୪୪ ବର୍ଷ ପରେ ପୁଣି ଓଡ଼ିଶା ମୁହାଁ ପଙ୍ଗପାଳ

ଭୁବନେଶ୍ବର: ଦୀର୍ଘ ୪୪ ବର୍ଷର ବ୍ୟବଧାନ ପର ପୁଣି ଓଡ଼ିଶାମୁହାଁ ହୋଇଛନ୍ତି ପଙ୍ଗପାଳ। ଏ ନେଇ ରାଜ୍ୟର ଚାଷୀମାନଙ୍କୁ ଉପଦେଶ ଜାରି କରିଛନ୍ତି ଓଡ଼ିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)। ୧୯୭୬-୭୭ ମସିହାରେ ଓଡ଼ିଶା ପଙ୍ଗପାଳ ଆକ୍ରମଣର ଶିକାର ହୋଇଥିବା ବେଳେ କୋଟି କୋଟି ସଂଖ୍ୟାରେ ମରୁଭୂମି ପଙ୍ଗପାଳ ଏବେ ଓଡ଼ିଶା ଆଡ଼କୁ ଆସୁଥିବା ସୂଚନା ମିଳିଛି।

ରାଜ୍ୟର ସୀମାନ୍ତରେ ରହୁଥିବା ଚାଷୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ଓୟୁଏଟି। ଗୋଟିଏ ଏକର ଚାଷ ଜମିରେ ସୂର୍ଯ୍ୟାସ୍ତ ପରେ ୨୦୦ ଲିଟର ନିମ ମଞ୍ଜି ରସ (୫%) ସିଞ୍ଚନ କରିବା ଲାଗି ଓଞୁଏଟି ପକ୍ଷରୁ କହାଯାଇଛି। ଯଦି ଚାଷୀମାନେ ନିଜ ଜମିରେ ପଙ୍ଗପାଳ ଦେଖନ୍ତି ତେବେ ଥାଳି ବାଡ଼େଇ ଶବ୍ଦ କରି ସେମାନଙ୍କୁ ଘଉଡ଼େଇବା ପାଇଁ ପରାମର୍ଶ ଦିଆଯାଇଛି।

ପାକିସ୍ତାନ ପଟୁ ରାଜସ୍ଥାନରେ ପ୍ରବେଶ କରିଥିବା ପଙ୍ଗପାଳ ଦଳ ମଧ୍ୟପ୍ରଦେଶରେ ପହଞ୍ଚି ସାରିଲେଣି। ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଓ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲା ସମେତ ଦିଲ୍ଲୀରେ ମଧ୍ୟ ପଙ୍ଗପାଳଙ୍କ ପ୍ରଭାବ ଦେଇବାକୁ ମିଳିଛି।

ମରୁଭୂମି ପଙ୍ଗପାଳ (desert locust) ଭାବେ ପରିଚିତ ଏହି ପୋକ ଏବେ ଦକ୍ଷିଣ ଏସିଆ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି। ଏହାର ସମାଧାନ ପାଇଁ ଇରାନ ଓ ପାକିସ୍ତାନକୁ ସହଯୋଗର ହାତ ବଢ଼ାଇଛି ଭାରତ। ଏହି ଦୁଇ ଦେଶକୁ ଭାରତ ପକ୍ଷରୁ କୀଟନାଶକ ଯୋଗାଇ ଦିଆଯିବା ଲାଗି ପ୍ରସ୍ତାବ ଦିଆଯାଇଛି। ଇରାନ ଏଭଳି ପ୍ରସ୍ତାବକୁ ସ୍ବାଗତ କରିଥିବା ବେଳେ ପାକିସ୍ତାନ ଏ ନେଇ ସହଯୋଗ କରୁ ନଥିବା ଜଣାଯାଇଛି।

ଗୋଟିଏ ମରୁଭୂମି ପଙ୍ଗପାଳ ଦୈନିକ ନିଜ ଓଜନର ଖାଦ୍ୟ (୨ ଗ୍ରାମ) ଖାଇଥାଏ। ଏକ ବର୍ଗ କିଲୋମିଟର ପଙ୍ଗପାଳ ଦଳରେ ପ୍ରାୟ ୪ କୋଟି ପୋକ ଥାଆନ୍ତି ଓ ଏମାନେ ଥରକେ ୩୫ ହଜାର ଲୋକଙ୍କର ଦିନକର ଖାଦ୍ୟ ଖାଇ ଦେଇଥାଆନ୍ତି। ୨୦୨୦ରେ ମରୁଭୂମି ପଙ୍ଗପାଳ ଭାରତ ଓ ଅନ୍ୟ ଦେଶରେ କୃଷି ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ପୂର୍ବାନୁମାନ କରାଯାଉଛି।

ଗତ ଡିସେମ୍ବର ମାସରୁ ଭାରତ ପଙ୍ଗପାଳ ଦମନ ପାଇଁ ସଂଘର୍ଷ କରି ଆସୁଛି ଓ ଅନେକ ସଫଳତା ବି ପାଇଛି। ତେବେ ମୌସୁମୀ ସମୟରେ ଏହା ପୁଣି ସମସ୍ୟା ସୃଷ୍ଟି କରିପାରେ। ରାଜସ୍ଥାନରେ ପଙ୍ଗପାଳ ଆକ୍ରମଣ ଯୋଗୁଁ ୩୩ ପ୍ରତିଶତ ଚାଷଜମିରେ ଫସଲହାନୀ ଘଟିଛି।

Comments are closed.