Odisha Link
Bridging the Missing Links in Odisha

ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ସରକାର, ଖର୍ଚ୍ଚ ହେବ ୧୭ ହଜାର କୋଟି

ଭୁବନେଶ୍ବର: ଆଜି ନବୀନ ସରକାରଙ୍କ ୫ମ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୋଟ ୨୨ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିଛି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବିଶେଷକରି ପ୍ରବାସୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବିକା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଶ୍ରୀ ତ୍ରିପାଠୀ। ସେ ଆହୁରି କହିଛନ୍ତି ଯେ, ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୧୭ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଏହି ଟଙ୍କା ଖର୍ଚ୍ଚ ହେବ। ଗ୍ରାମାଞ୍ଚଳରେ ଜୀବିକା ଯୋଗାଇଦେବାକୁ ଖସଡ଼ା ପ୍ରସ୍ତୁତ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇ ଦେବା ନେଇ ଯୋଜନା କରାଯାଇଛି । ଗ୍ରାମାଞ୍ଚଳରେ କୃଷି ପାଇଁ ୨ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ୱାରା ୨୪ ଲକ୍ଷ ୫୬ ହଜାର ଚାଷୀ ଉପକୃତ ହେବେ।

ଏହାଛଡ଼ା ୪ ହଜାର ପାନଚାଷୀଙ୍କ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହେବ। ୧୦ ହଜାର ଚାଷୀ ଓ ୫ ହଜାର ଏସଏଚଜିକୁ ଛତୁ ଚାଷ ପାଇଁ ସହାୟତା ମିଳିବ। ମତ୍ସ୍ୟଚାଷରେ ୧୧୧.୪୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ସୂଚନାଥାଉକି, କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି। କିଏ ବସରେ ତ କିଏ ଟ୍ରେନରେ ଫେରୁଛନ୍ତି। ଏହାଛଡ଼ା କିଏ ସାକେଲରେ ତ କିଏ ଚାଲି ଚାଲି ମଧ୍ୟ ଫେରୁଛନ୍ତି। କିନ୍ତୁ ଓଡ଼ିଶା ଫେରୁଥିବା ପ୍ରବାସୀମାନେ କ’ଣ କରି ଜୀବିକା ନିର୍ବାହ କରିବେ ତାକୁ ନେଇ ପ୍ରଶ୍ନ ଉଠିଥିଲା।

Comments are closed.