Odisha Link
Bridging the Missing Links in Odisha

ଥାଇଲାଣ୍ଡର ଶାପଗ୍ରସ୍ତ ସାପ, ଦେଖନ୍ତୁ ଅବିଶ୍ବସନୀୟ ଫଟୋଚିତ୍ର

ଯେଉଁମାନେ ଥାଇଲାଣ୍ଡ ଭ୍ରମଣରେ ଯାଇଥିବେ ନାକା ଗୁମ୍ଫା ବାବଦରେ ଅବଶ୍ୟ ଶୁଣିଥିବେ, କେହି କେହି ଏହା ବୁଲିବାକୁ ଯାଇଥାଇ ପାରନ୍ତି। ଏଠାରେ ସହସ୍ର ବର୍ଷ ପୂର୍ବେ ଏକ ବିଶାଳକାୟ ସାପ ଅଭିଶାପ ପାଇ ପଥର ପାଲଟିଯାଇଥିବାର କିମ୍ବଦନ୍ତୀ ରହିଛି।

ହିନ୍ଦୁ ପୁରାଣରେ ଅଭିଶାପ ପାଇ ପଥର ହେବାର ଏକାଧିକ ଉଦାହରଣ ରହିଛି। ସବୁଠୁ ବଡ଼ ଡଦାହରଣ ହେଉଛି ଅହଲ୍ୟା। ସ୍ବାମୀ ଗୌତମ ଋଷିଙ୍କ ଅନୁପସ୍ଥିତିରେ ଇନ୍ଦ୍ରଙ୍କ ସହ ଦୈହିକ ସମ୍ପର୍କ ରଖିବା କାରଣରୁ ସୁନ୍ଦରୀ ଅହଲ୍ୟାଙ୍କୁ ପଥର ପାଲଟିଯିବା ଲାଗି ଅଭିଶାପ ଦେଇଥିଲେ ଗୌତମ ଋଷି। ଅନୁରୂପ ଭାବେ ଜଣେ ଭକ୍ତ ବୃନ୍ଦାଙ୍କ ଦ୍ବାରା ଅଭିଶାପ ପାଇ ଭଗବାନ ବିଷ୍ଣୁ ଶାଳଗ୍ରାମ ପଥର ପାଲଟି ଯାଇଥିଲେ। ବୃନ୍ଧାଙ୍କ ସ୍ବାମୀ ଜଳନ୍ଧରର ବେଶ ଧାରଣ କରି ବୃନ୍ଦାଙ୍କୁ ଚରିତ୍ରହୀନ ଦର୍ଶାଇବାର ଉଦ୍ୟମ କରିଥିବାରୁ ବିଷ୍ଣୁଙ୍କୁ ଏଭଳି ଅଭିଶପ୍ତ ହେବାକୁ ପଡ଼ିଥିଲା।

ପୁରାଣରେ ଏଭଳି ବହୁ କାହାଣୀ ଥିବା ବେଳେ ଥାଇଲାଣ୍ଡର ନାକା ଗୁମ୍ଫା ସହ ମଧ୍ୟ ଅନୁରୂପ ଭାବେ ବହୁ ସ୍ଥାନୀୟ କାହାଣୀ ଜଡ଼ିତ। ଏହି ଗୁମ୍ଫାରେ ଗୋଲାକାର ସାପ ଆକୃତିର ଗୁଡ଼େଇ ହୋଇ ରହିଥିବା ପଥର ଦେଖିବାକୁ ମିଳେ। ପଥରର ଉପରିଭାଗ ଠିକ ସାପ ଚମଡ଼ା ଭଳି ଦେଖାଯାଏ। ଉପରିଭାଗ ମଧ୍ୟ ସାପ ଫଣା ଭଳି ବାହରକୁ ବାହାରି ରହିଥାଏ। ସ୍ଥାନୀୟ ସବୁ କିମ୍ବଦନ୍ତୀର ପରିଣତି ହେଉଛି, ଗୋଟିଏ ବିଶାଳକାୟ ସର୍ପ ଅଭିଶାପ ପାଇ ଏଠାରେ ପଥର ପାଲଟିଯାଇଥିଲା। ସେ ସମୟରେ ମଣିଷ ସମେତ ସମସ୍ତ ଜୀବଜନ୍ତୁଙ୍କର ଚେହେରା ବର୍ତ୍ତମାନ ତୁଳନାରେ ବହୁ ଗୁଣ ବଡ଼ ଥିଲା।

ରାମଙ୍କ ପାଦସ୍ପର୍ଶରେ ଅହଲ୍ୟା ଉଦ୍ଧାର ପାଇବା ଭଳି ଏ ପଥର ସାପ ମଧ୍ୟ ଦିନେ ଅଭିଶାପମୁକ୍ତ ହୋଇ ନିଜର ଜୀବନ ଫେରି ପାଇବ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ବାସ ଅଛି।

କେହି କେହି ଏହାକୁ ବିଶାଳୟକାୟ ସାପର ଫସିଲ ବୋଲି ବିଶ୍ବାସ କରନ୍ତି। ଅନ୍ୟପଟେ ପ୍ରାକୃତିକ କାରଣରୁ ପଥରଟି ଏଭଳି ରୂପ ନେଇଥିବା ଗବେଷକମାନେ କହିଛନ୍ତି। କେହି କେହି ଏହା ବହୁ ପୁରାତନ ମଣିଷ ହାତଗଢ଼ା ପଥର ମୂର୍ତ୍ତି ବୋଲି ମଧ୍ୟ ଉଲ୍ଲେଖ କରନ୍ତି।

Comments are closed.