Odisha Link
Bridging the Missing Links in Odisha

୨୨ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର, ପ୍ରତିଷ୍ଠା ହେବ ୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ

ଭୁବନେଶ୍ବର: ଶୁକ୍ରବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। କ୍ୟାବିନେଟରେ କ’ଣ କ’ଣ ନିଷ୍ପତ୍ତି ନିଆଯାଇଛି ସେ ସମ୍ପର୍କରେ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ଶ୍ରୀ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ କ୍ୟାବିନେଟରେ ୨୨ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି।

ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡକୋ ଜମି ଯୋଗାଇ ଦେବ ରାଜ୍ୟ ସରକାର। ହୋଟେଲ, ରେଷ୍ଟୁରାଣ୍ଟ ଲାଗି ଇଡକୋ ଏହି ଜମି ଯୋଗାଇଦେବ। ଅଣ୍ଡର ଗ୍ରାଜୁଏଟ କୋର୍ସକୁ ପ୍ରଫେସନାଲ କୋର୍ସର ମାନ୍ୟତା ମିଳିବ। ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ସହାୟତା ମିଳିବ ଅଙ୍ଗନବାଡ଼ି ପିଲାଙ୍କୁ ମାଗଣାରେ ଜୋତା ଓ ସ୍ୱେଟର ଯୋଗାଇ ଦିଆଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ଶକ୍ତି ବିଭାଗ ଅଧୀନକୁ ଆସିବ ‘ଓରେଡ଼ା’। ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟିର ସହାୟତା ଦେବେ ସରକାର। ସୋସାଇଟି ଆକ୍ଟରେ ପରିବର୍ତ୍ତନ ନେଇ ମୁଖ ସଚିବ ସୂଚନା ଦେଇଛନ୍ତି। ଏଣିକି ସବୁ ସୋସାଇଟି ୫ ବର୍ଷରେ ଥରେ ନବୀକରଣ ହେବ ବୋଲି ଶ୍ରୀ ତ୍ରୀପାଠି କହିଛନ୍ତି।

ଇ-ମାର୍କେଟ ଜରିଆରେ ନିଜ ଉତ୍ପାଦନକୁ ଚାଷୀ ବିକିପାରିବେ। ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ। କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡ଼ାରେ ଜମି ଦିଆଯିବ । ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ଲାଗି ପ୍ରସ୍ତାବ ଗୃହୀତ ହୋଇଛି ବୋଲି ସେ କହିଛନ୍ତି।

ଏଥିସହିତ ରାଜ୍ୟରେ ପ୍ରତିଷ୍ଠା ହେବ ୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ। ଧାମରାରେ ଟେକ୍ସଟାଇଲ ଓ ଢେଙ୍କାନାଳରେ ହେବ ମେଡିକାଲ ପାର୍କ। ଉଭୟ ପାର୍କ ପାଇଁ ୬ରୁ ୭ ହଜାର କୋଟି ଖର୍ଚ୍ଚ ହେବ। ଧାମରାରେ ୨୦ ହଜାର ଓ ଢେଙ୍କାନାଳରେ ୧୬ ହଜାରଙ୍କୁ ମିଳିବ ନିଯୁକ୍ତି ସୁଯୋଗ।

ଏଥିସହିତ ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ସରକାର। ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ୧୭ ହଜାର କୋଟି ଖର୍ଚ୍ଚ ହେବ । ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଏହି ଟଙ୍କା ଖର୍ଚ୍ଚ ହେବ । ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ଯୋଜନା ରହିଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ଏଥିସହିତ ବାଲେଶ୍ୱରରେ ଏନଡିଆରଏଫର ଏକ ୟୁନିଟ ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ତ୍ରିପାଠୀ।

Comments are closed.