ପୁଣି ‘ବନ୍ଦେ ଉତ୍କଳ ଜନନୀ’ ଗାୟନକୁ ବିରୋଧ
ଭୁବନେଶ୍ବର: କରୋନା ଲଢ଼େଇରେ ସାମିଲ ବ୍ୟକ୍ତିଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ ପାଇଁ ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ଓଡ଼ିଆମାନଙ୍କୁ ମେ’ ୩୦ ତାରିଖ ସଂଧ୍ୟା ୫ଟା ୩୦ରେ ସମୁହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ଲାଗି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ଆହ୍ବାନକୁ ଦଳ, ମତ ଓ ଅଞ୍ଚଳ ଭିତିରେ ଓଡ଼ିଶାର କୋଣ ଅନୁକୋଣରୁ ସମର୍ଥନ ମିଳିଥିବା ବେଳେ ରାଜ୍ୟ ଓ ଦେଶ ବାହାରେ ଥିବା ଓଡ଼ିଆଙ୍କ ମଧ୍ୟରେ ମଧ୍ୟ ଏ ନେଇ ଉତ୍ସାହ ଦେଖାଦେଇଛି। ତେବେ ଓଡ଼ିଶାରେ ଆଞ୍ଚଳିକ ବୈଷମ୍ୟକୁ ପ୍ରୋତ୍ସାହିତ କରୁଥିବା କିଛି ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଏ ଆହ୍ବାନକୁ ବିରୋଧ କରିବା ସହ ନିନ୍ଦା କରିଛନ୍ତି। କୋଶଳ ସମନ୍ବୟ ସମିତି ପକ୍ଷରୁ ୩୦ ମେ’ ସଂଧ୍ୟାରେ ଜାତୀୟ ସଂଗୀତ ଗାନ ସହ ‘ଜୟ କୋଶଳ’ ନାରା ଦେବାକୁ ଅନୁରୋଧ କରାଯାଇଛି।
ପୂର୍ବରୁ ରାଜ୍ୟର ପଶ୍ଚିମାଞ୍ଚଳର କିଛି ସ୍ଥାନରେ ବନ୍ଦେ ଉତ୍କଳ ଗାୟନକୁ ବିରୋଧ କରିବା, ଗୀତରେ ଉତ୍କଳ ସ୍ଥାନରେ ଅନ୍ୟ ଶବ୍ଦ ଯୋଡ଼ି ଗାଇବା, ଉତ୍କଳ ଦିବସକୁ କଳାଦିବସ ଭାବେ ପାଳନ କରିବା, ଓଡ଼ିଆଙ୍କ ଆଦ୍ୟପାଠ ‘ବର୍ଣ୍ଣବୋଧ’ ପୋଡ଼ିବା, ଓଡ଼ିଆ ଶବ୍ଦକୁ ଟାହିଟାପରା କରିବା ଆଦିରେ ମାତିଥିବା ଅଳ୍ପକିଛି ବ୍ୟକ୍ତି ପୁଣି ଏବେ ଓଡ଼ିଶାର ରାଜ୍ୟ ସଂଗୀତକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ରାଜନୈତିକ ମନ୍ଦ ଉଦ୍ଦେଶ୍ୟ, ସରକାରଙ୍କ ଅନାଗ୍ରହ ଓ ବିଛିନ୍ନତାବାଦୀଙ୍କ ବିରୋଧ ହେତୁ ଏଯାଏଁ ‘ବନ୍ଦେ ଉତ୍କଳ ଜନନୀ’କୁ ସରକାରୀ ଭାବେ ରାଜ୍ୟ ସଂଗୀତ ଘୋଷଣା କରିବାର ଫାଇଲ୍ଟି ଖତ ଖାଉଛି।
ବିରୋଧୀଙ୍କ ଯୁକ୍ତି
କୋଶଳ ନାମରେ ଭିନ୍ନ ଏକ ରାଜ୍ୟ ଦାବିି କରୁଥିବା କୋଶଳ ସମନ୍ବୟ ସମିତି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ଘୋର ବିରୋଧ କରିଛି। ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ‘ବନ୍ଦେ ଉତ୍କଳ ଜନଜୀ’ ସମ୍ବିଧାନ ସ୍ବୀକୃତ ପ୍ରାଦେଶିକ ସଂଗୀତ ନୁହେଁ। ସମ୍ବିଧାନ ଧାରା ୩ ଅନୁସାରେ ଆମେ ସ୍ବତନ୍ତ୍ର କୋଶଳ ପ୍ରଦେଶ ଦାବି କରୁଛୁ ବୋଲି ସେ କହିଛନ୍ତି। ଏଭଳି ସମୟରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ଆମ ଅଞ୍ଚଳ ପାଇଁ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ମିଶ୍ର ମତ ରଖିଛନ୍ତି।
ଶ୍ରୀ ମିଶ୍ର କହିଛନ୍ତି, “ଏହାକୁ ଉପକୂଳ ଓଡ଼ିଶାର ଲୋକେ ଗାନକରନ୍ତୁ। କୋଶଳ ଅଞ୍ଚଳରେ ରହୁଥିବା ୨ କୋଟି ଲୋକ ‘ବନ୍ଦେ ଉତ୍କଳ ଜନନୀ’ ବଦଳରେ ଜାତୀୟ ସଂଗୀତ ଗାନ କରିବା ସହ ‘ଜୟ କୋଶଳ’ କରନ୍ତୁ। କରୋନା ମହାମାରୀ ସମୟରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ବାଧ୍ୟ କରିବା କୋଶଳବାସୀଙ୍କ ପ୍ରତି ଅତ୍ୟାଚାର ଓ ନିର୍ଯାତନା।”
ସାମାଜିକ ଗଣମାଧ୍ୟମରେ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’ ଗାନକୁ ବିରୋଧ ଦେଖିବାକୁ ମିଳିଛି। ଅନ୍ୟ ପଟେ ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି ଓ ସିପିଏମ୍ ରାଜ୍ୟ ସଭାପତିମାନଙ୍କ ସହ ମୁଖ୍ୟମନ୍ତ୍ରୀ ‘ବନ୍ଦେ ଉତ୍କଳ ଜନନୀ’ ଗାନ ବାବଦରେ କଥା ହେବା ପରେ ଏହାକୁ ସବୁ ଦଳର ସମର୍ଥନ ମିଳିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ନିଜର ସମର୍ଥନ ଜଣାଇଛନ୍ତି।
ବିଜେଡି ଭିତରୁ ବିରୋଧର ସ୍ବର
‘ବନ୍ଦେ ଉତ୍କଳ ଜନନୀ’କୁ ଓଡ଼ିଶାର ରାଜ୍ୟ ଗାନ ଭାବେ ଘୋଷଣା କରିବା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି। ସରକାରଙ୍କ ପାଖରେ ଏ ନେଇ ଫାଇଲ୍ ଦୀର୍ଘଦିନ ଧରି ପଡ଼ି ରହିଛି। ଚଳନ୍ତି ସରକାର ଏ ନେଇ ଆଗ୍ରହ ଥିବା ବ୍ୟକ୍ତ କରୁଥିଲେ ବି ରାଜନୈତିକ କାରଣରୁ ଏ ଫାଇଲ ଉପରେ ମୋହର ମାରୁନାହାନ୍ତି। ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ‘ବନ୍ଦେ ଉତ୍କଳ ଜନନୀ’କୁ ସମର୍ଥନ କରୁଥିବା ବେଳେ ଖୋଦ୍ ତାଙ୍କ ଦଳର ବିଧାୟକ ସୁଶାନ୍ତ ସିଂ ଖୋଲାଖୋଲି ବିରୋଧ କରିଛନ୍ତି। ଓଡ଼ିଆ ଭାଷାକୁ ଟାପରା କରିଥିବା କୋଶଳ ଲୋକକବି ହଳଧର ନାଗ ଓ ଓଡ଼ିଆ ବର୍ଣ୍ଣବୋଧକୁ ପୋଡ଼ିଥିବା ସାକେତ ସାହୁଙ୍କୁ ଧରି ବିଧାୟକ ଶ୍ରୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ। ଆସନ୍ତାକାଲି ସୁଶାନ୍ତ ସିଂ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ମାନି ‘ବନ୍ଦେ ଉତ୍କଳ ଜନନୀ’ ଗାଇବା ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ମତ ରଖନ୍ତୁ ବୋଲି ସୋସିଆଲ ମିଡିଆରେ ଦାବି ହୋଇଛି।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ଭାବେ ଗ୍ରହଣ କରିବା ପାଇଁ ସବୁ ମହଲରୁ ସମର୍ଥନ ମିଳିଛି। ତେବେ ଏଥିରେ ବ୍ୟବହୃତ ‘ଉତ୍କଳ’ ଶବ୍ଦକୁ ନେଇ କିଛି ବ୍ୟକ୍ତି ଆପତ୍ତି ଉଠାଇଛନ୍ତି। ସ୍ବତନ୍ତ୍ର ରାଜ୍ୟ ଦାବି ହେଉଥିବା କୋଶଳ ଅଞ୍ଚଳ ଉତ୍କଳରେ ନାହିଁ ବୋଲି ସମନ୍ବୟ ସମିତି ଯୁକ୍ତି ବାଢ଼ିଛି। ଏପରିକି ଉତ୍କଳ ଶବ୍ଦକୁ କାଟି କେହି କେହି ଅନ୍ୟ ଶବ୍ଦ ଯୋଡ଼ି ଗୀତଟିକୁ ବିକୃତ କରିବାକୁ ଚେଷ୍ଟା କରିଛନ୍ତି। ବିଜେଡି ନେତା ସୁଶାନ୍ତ ସିଂ ‘ଉତ୍କଳ’ ବଦଳରେ ‘ଓଡ଼ିଶା’ ଶବ୍ଦ ବ୍ୟବହାର ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ତୁଷ୍ଟୀକରଣର ଆଉ ଏକ ନମୁନା ଭାବେ ଗତ ୪-୫ ବର୍ଷ ଧରି ଓଡ଼ିଶା ସରକାର ଏପ୍ରିଲ ୧ ତାରିଖକୁ ‘ଉତ୍କଳ ଦିବସ’ ବଦଳରେ ‘ଓଡ଼ିଶା ଦିବସ’ ଭାବେ ପାଳନ କରି ଆସୁଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ଏ ନେଇ ବାର୍ତ୍ତା ଓ ଟୁଇଟ୍ ଦେବା ବେଳେ ମଧ୍ୟ ‘ଉତ୍କଳ’ ଶବ୍ଦ ବଦଳରେ ‘ଓଡ଼ିଶା’ ଶବ୍ଦ ବ୍ୟବହାର କରୁଛନ୍ତି। ଯଦିଓ ତାଙ୍କ ଦଳ ଓ ସରକାରର ଅନ୍ୟ ନେତୃବୃନ୍ଦ ଗର୍ବର ସହ ‘ଉତ୍କଳ’ ଶବ୍ଦ ବ୍ୟବହାର କରି ଆସୁଛନ୍ତି। ତେବେ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ପୁଣି ତାଙ୍କର ମନ ପରିବର୍ତ୍ତନ ହୋଇଛି ଓ ସେ ‘ଉତ୍କଳ’ ଶବ୍ଦ ବ୍ୟବହାର ସହ ଏଣିକି ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ଗାନ ଘୋଷଣାରେ ଆଉ ବିଳମ୍ବ କରିବେ ନାହିଁ ବୋଲି ବୁଦ୍ଧିଜୀବୀମାନେ ଆଶା ପୋଷଣ କରିଛନ୍ତି।
‘ବନ୍ଦେ ଉତ୍କଳ ଜନନୀ’ ଓ ‘ଜନଗଣମନ’
ପୁରାତନ ସମୟରେ ଓଡ଼ିଶାର ନାମ କଳିଙ୍ଗ (ଯାହା ଗଙ୍ଗା ଠାରୁ ଗୋଦାବରୀ ଯାଏଁ ବ୍ୟାପ୍ତ) ଥିଲା। ପରେ ଏହା ଉତ୍କଳ ନାମରେ ଖ୍ୟାତ ହେଲା। କାନ୍ତକବି ଲକ୍ଷ୍ମୀକାନ୍ତ କବିତାଟି ଲେଖିବା ବେଳେ ସମଗ୍ର ଓଡ଼ିଶାର ଶାସ୍ତ୍ରୀୟ ନାମ ଉତ୍କଳ ହିଁ ଥିଲା। ତେଣୁ ସେ ‘ଉତ୍କଳ’ ଶବ୍ଦ ବ୍ୟବହାର କରିଛନ୍ତି। ଏବେ ଓଡ଼ିଶାକୁ ‘ଉତ୍କଳ’ କହାଯାଉ ନଥିଲେ ହେଁ ଜଣେ କବିଙ୍କର ସୃଜନକୁ ବଦଳାଯିବା ଆଦୌ ଉଚିତ ନୁହେଁ। ରବୀନ୍ଦ୍ର ନାଥ ଟାଗୋର ଯେଉଁ ରାଷ୍ଟ୍ରଗୀତ ଲେଖିଛନ୍ତି ସେଥିରେ ମଧ୍ୟ ‘ଉତ୍କଳ’ ଶବ୍ଦ ବ୍ୟବହାର ହୋଇଛି। ଏପରିକି ରାଷ୍ଟ୍ର ସଂଗୀତରେ ପଞ୍ଜାବ (ଯାହାର ଫାଳେ ପାକିସ୍ତାନରେ ଅଛି) ଓ ସିନ୍ଧୁ (ଯାହା ସମ୍ପୂର୍ଣ ପାକିସ୍ତାନରେ ଅଛି) ଶବ୍ଦ ରହିଛି। ସେ ଗୀତରେ କଶ୍ମୀର ସମେତ ଉତ୍ତର ଓ ଉତ୍ତର-ପୂର୍ବ ଭାରତର ଅଞ୍ଚଳର ଉଲ୍ଲେଖ ନାହିଁ। କିନ୍ତୁ କବିଙ୍କ ସୃଜନକୁ ସମ୍ମାନ ଜଣାଇ ଏଯାଏଁ କେହି ମଧ୍ୟ ଜାତୀୟ ସଂଗୀତ ପରିବର୍ତ୍ତନ ପାଇଁ ଇଚ୍ଛାବ୍ୟକ୍ତ କରିନାହାନ୍ତି।
ଓଡ଼ିଶାରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ମାନ୍ୟତା ଦାବି ବହୁ ପୁରୁଣା। ଉତ୍କଳ ସମ୍ମିଳନୀ (ଯାହାର ମୂଳଦୁଆ ସମ୍ବଳଫୁରରେ ପଡ଼ିଥିଲା) ସମେତ ବହୁ ଅନୁଷ୍ଠାନର ଦୀର୍ଘ ବର୍ଷର ଦାବି ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ୧୯୯୪ ମସିହା ଡିସେମ୍ବର ୨୧ ତାରିଖରେ ରାଜ୍ୟ ବିଧାନସଭାରେ ପ୍ରଥମ ଥର ପାଇଁ ଏହା ଗାନ କରାଯାଇଥିଲା। ଏହା ପରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବର ପ୍ରଥମ ପାଳିରେ ୨୦୦୨ ମସିହାରେ ଏହାକୁ ରାଜ୍ୟ ସଂଗୀତ ମାନ୍ୟତା ଦେବାକୁ ସରକାରୀ ସ୍ତରରେ ବିଧିବଦ୍ଧ ଉଦ୍ୟମ ଆରମ୍ଭ ହେଲା। ସେତେବେଳେ ବାଚସ୍ପତି ଶରତ କୁମାର କରଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ବୈଠକ ହୋଇଥିଲା। ଏଥିରେ ରାଜ୍ୟ ସଂଗୀତର ଗାୟନ ସମୟ ଧାର୍ଯ୍ୟ କରାଯାଇଥିଲା ଓ ସଂଗୀତକୁ ସମ୍ମାନ ଦେବା ଲାଗି ଗାୟନ ବେଳେ ଠିଆହେବାକୁ ନିଷ୍ପତ୍ତି ନିଆଗଲା। ପରେ ୨୦୦୬ ମସିହାରେ ତତ୍କାଳୀନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଉ ଏକ ବୈଠକରେ ରାଜ୍ୟ ସଂଗୀତର ରୂପରେଖ କ’ଣ ହେବ ନିଷ୍ପତ୍ତି ହୋଇଥିଲା। ସମସ୍ତଙ୍କ ପରାମର୍ଶ କ୍ରମେ କାନ୍ତ କବିଙ୍କ ଲିଖିତ ଦୀର୍ଘ ସଂଗୀତର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦକୁ ରାଜ୍ୟ ସଂଗୀତ ଭାବେ ଗାନକରିବା ଲାଗି ନିଷ୍ପତ୍ତି ନିଆଗଲା। ତେବେ ଇତି ମଧ୍ୟରେ ୧୪ ବର୍ଷ ବିତି ଯାଇଥିଲେ ମଧ୍ୟ ସରକାର ନିଜ ନିଷ୍ପତ୍ତି ଉପରେ ଏଯାଏଁ ମୋହର ମାରିପାରୁନାହାନ୍ତି। ଅବଶ୍ୟ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଗାୟନ ବେଳେ ଠିଆ ହୋଇ ସମ୍ମାନ ଜଣାଇବାର ପରମ୍ପରା ଆପେ ତିଆରି ହୋଇଯାଇଛି।
Comments are closed.