Odisha Link
Bridging the Missing Links in Odisha

ପିଏମ୍‌ ମୋଦିଙ୍କ ବଡ଼ ଘୋଷଣା: ନଭେମ୍ବର ମାସ ଯାଏଁ ଗରିବଙ୍କୁ ମାଗଣା ରାସନ

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ଆଜି ୬ଷ୍ଠ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପିଏମ୍‌ ମୋଦି। ଆସନ୍ତା କାଲିଠୁ ସାରା ଦେଶରେ କାର୍ଯ୍ୟକାରୀ ହେବ ଅନ୍‌ଲକ୍‌ ୨.୦। ସେହି ସମ୍ବନ୍ଧରେ ଦେଶବାସୀଙ୍କୁ ଉଦବୋଧନ ଦେବା ସହ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ପିଏମ୍‌ ମୋଦି।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି ଯେ, ଯଦି ଆମେ ସାରା ବିଶ୍ୱରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ହାର ବିଚାରକୁ ନେବା ତେବେ ଭାରତରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଠିକ ସମୟରେ ଲକ୍‌ଡାଉନ୍ ଭଳି ପଦକ୍ଷେପ ଯୋଗୁ ଦେଶରେ ବହୁ ଅମୁଲ୍ୟ ଜୀବନ ରକ୍ଷା କରାଯାଇପାରିଛି ବୋଲି ମୋଦି କହିଛନ୍ତି।

ଏଥିସହିତ ମୋଦି ଆହୁରି କହିଛନ୍ତି ଯେ, ଲକଡାଉନ ସମୟରେ ଦେଶର ଗରିବ ନାଗରିକମାନଙ୍କ ପାଇଁ ଅର୍ଥ ଉପାର୍ଜନର ସମସ୍ତ ବାଟ ବନ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମଧ୍ୟରେ ଆମେ ୧.୭୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛୁ। ଗତ ୩ମାସ ମଧ୍ୟରେ ୨୦କୋଟି ଗରିବ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୧,୦୦୦ କୋଟି ଟଙ୍କା ଜମା ହୋଇଛି। ଏଥିସହ ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୮୦୦୦ କୋଟି ଜମା ହୋଇଛି।

ବର୍ତ୍ତମାନର ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ, ଯାହାର ମୂଲ୍ୟ ୯୦ହଜାର କୋଟିରୁ ଅଧିକ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ସରକାର ଆସନ୍ତା ପାଞ୍ଚ ମାସ ପାଇଁ ୮୦ କୋଟି ଗରିବ ଭାଇ-ଭଉଣୀଙ୍କୁ ମାଗଣା ରାସନ ପ୍ରଦାନ କରିବେ। ପରିବାରର ପ୍ରତ୍ୟେକ ସଦସ୍ୟ ୫ କିଲୋଗ୍ରାମ ଗହମ କିମ୍ବା ଚାଉଳ ପାଇବେ।ଏଥିସହ ପ୍ରତି ପରିବାରକୁ ମିଳିବ ୧ କିଲୋ ଡ଼ାଲି ମିଳିବ ବୋଲି ପିଏମ୍‌ ମୋଦି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣକୁ ଆମେ ହାଲକା ଭାବରେ ନେବା ଉଚିତ ନୁହେଁ, ଆମକୁ ସେଥି ପ୍ରତି ଧ୍ୟାନ ଦେବାକୁ ପଡିବ, ବିଶେଷକରି କଣ୍ଟେନମେଣ୍ଟ ଜୋନରେ ଅଧିକ ଧ୍ୟାନ ଦେବାକୁ ପଡିବ। ଯେଉଁମାନେ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ନିୟମ ପାଳନ ପାଇଁ ପ୍ରବର୍ତ୍ତାଇବାକୁ ପଡିବ ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଲକ ଡାଉନ କାଳରେ ଦେଶର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଦେଶର ଗରିବ ଶ୍ରେଣୀର ଲୋକଙ୍କ ଅସୁବିଧା ଦୂର କରିବା। କେନ୍ଦ୍ର ସରକାର ହେଉ କି ରାଜ୍ୟ ସରକାର ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ଯେଭଳି କୌଣସି ଗରିବ ଭାଇ ଭଉଣୀ ଓପାସ ନ ରହନ୍ତି।

Comments are closed.