Odisha Link
Bridging the Missing Links in Odisha

ସମ୍ ହସପିଟାଲ୍‌ର ସଫଳତା: ୭୦% ପୋଡ଼ି ହୋଇଯାଇଥିବା ମହିଳା ସୁସ୍ଥ ହେଲେ

ଭୁବନେଶ୍ୱର: ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିବା ଯୋଗୁଁ ଜଣେ ମହିଳାଙ୍କର ଶରୀରର ୭୦ ପ୍ରତିଶତ ପୋଡି ହୋଇଯାଇଥିଲେ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରି ଘରକୁ ଫେରାଇବାର ସଫଳ ହୋଇଛି ଆଇଏମଏସ ଆଣ୍ଡ ସମ୍ ହସପିଟାଲ୍। ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଓ ସମ୍ ହସପିଟାଲ ଅଧିନସ୍ଥ ବର୍ଣ୍ଣସ୍ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଅକ୍ଳାନ୍ତ ପରିଶ୍ରମ ଓ ସଫଳ ଚିକିତ୍ସା ଯୋଗୁଁ ମୃତ୍ୟୁ ମୁଖରୁ ବଂଚି ଘରକୁ ଫେରିପାରିଛନ୍ତି ପଶ୍ଚିମବଙ୍ଗ ଅନ୍ତର୍ଗତ ଦୀଘା ରାମନଗର ଅଂଚଳର ଜଣେ ୩୫ ବର୍ଷୀୟା ମହିଳା।

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବା ଫଳରେ ସଂପୃକ୍ତ ମହିଳାଙ୍କର ଶରୀରର ୭୦ ଭାଗ ଗଭୀର ଭାବେ ପୋଡ଼ି ହୋଇଯାଇଥିଲା। ମୁର୍ମୂଷୁ ଅବସ୍ଥାରେ ଗତ ଜୁନ୍ ୬ ତାରିଖରେ ସେ ଆଇଏମଏସ ଆଣ୍ଡ ସମ୍ ହସପିଟାଲ୍ ରେ ଭର୍ତି ହୋଇଥିଲେ। ବର୍ଣ୍ଣସ୍ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ଏମ. ଲୋପାମୁଦ୍ରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଫଳରେ ତାଙ୍କ ଶରୀର ମଧ୍ୟକୁ ଧୂଆଁ ଚାଲିଯିବା ଫଳରେ ଫୁସଫୁସ ମଧ୍ୟ ଆକ୍ରାନ୍ତ ହୋଇଥିଲା। ତେଣୁ ତାଙ୍କୁ ୨୦ ଦିନ ପର୍ଯ୍ୟନ୍ତ ଭେଂଟିଲେଟରରେ ରଖାଯାଇଥିଲା। ସେହିପରି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଯୋଗୁଁ ଟ୍ରାକିଓଷ୍ଟୋମି ପ୍ରକ୍ରିୟାରେ ଚିକିତ୍ସା କରାଯାଇଥିଲା।

୨୦ ଦିନ ଭେଂଟିଲେଟରରେ ରହିବା ପରେ ଧୀରେ ଧୀରେ ସେ ସୁସ୍ଥ ହୋଇଥିଲେ। ବର୍ଣ୍ଣସ୍ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗ ଓ ବର୍ଣ୍ଣ ଆଇସିୟୁର ସମସ୍ତ ଡାକ୍ତର ଓ କର୍ମଚାରୀ ଖୁବ୍ ଯତ୍ନର ସହ ତାଙ୍କର ଚିକିତ୍ସା କରିଥିଲେ। ଉପଯୁକ୍ତ ଭାବରେ କ୍ଷତ ସ୍ଥାନର ଡ୍ରେସିଂ ଓ ଚିକିତ୍ସା ଯୋଗୁଁ ସେ ସୁସ୍ଥ ହୋଇ ନିଜେ ଚାଲିବାକୁ ମଧ୍ୟ ସକ୍ଷମ ହୋଇପାରିଲେ। କିଛି କିଛି ଫିଜିଓଥେରାପି ମଧ୍ୟ କରାଯାଇଥିଲା।

ଦୀର୍ଘ ୫୦ ଦିନ ପରେ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା କହିଛନ୍ତି ଡାକ୍ତର ଲୋପାମୁଦ୍ରା। ଡାକ୍ତର ଲୋପାମୁଦ୍ରାଙ୍କ ସମେତ ବର୍ଣ୍ଣସ୍ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡ. ସୁଶାନ୍ତ ମିଶ୍ର, ଡ. ବିନାୟକ ମିଶ୍ର, ବର୍ଣ୍ଣ ଆଇସିୟୁ ଇନଚାର୍ଜ, ସିନିୟର ଓ ଜୁନିୟର ରେସିଡେଂଟସ୍‌, ୱାର୍ଡ ଇନଚାର୍ଜ ଏବଂ ସମସ୍ତ କର୍ମଚାରୀମାନେ ମହିଳାଙ୍କୁ ସୁସ୍ଥ କରିବାରେ ସାହାଯ୍ୟ ସହଯୋଗ କରିଥିଲେ।

Comments are closed.