କୁଳଭୂଷଣ ଯାଦବ ମାମଲାରେ ଓକିଲ ନିଯୁକ୍ତି ପାଇଁ ଭାରତକୁ ଅନୁମତି ଦେଲା ପାକ୍ ନ୍ୟାୟାଳୟ

ଆଜି ବିଚାଳର ଚାଲିଥିବା କୁଳଭୂଷଣ ଯାଦବ ମାମଲାକୁ ସେେପ୍ଟମ୍ବର ୩ ଯାଏଁ ମୁଲତବି ରଖିଛନ୍ତି ଇସଲାମାବାଦ ଉଚ୍ଚ ନ୍ୟାୟାଳୟ। ଆଜି ବିଚାର ବେଳେ ଭାରତୀୟ ବନ୍ଦୀ କୁଳଭୂଷଣଙ୍କ ବିରୋଧରେ କୋର୍ଟ ପାକିସ୍ତାନର ଯୁକ୍ତି ଶୁଣିବାର ଥିଲା। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ଏହି ମାମଲା ସେନା କୋର୍ଟରୁ ସିଭିଲିଆନ୍ କୋର୍ଟକୁ ସ୍ଥାନାନ୍ତର ହୋଇଛି। ତେବେ କୁଳଭୂଷଣଙ୍କ ସପକ୍ଷରେ ଲଢ଼ିବା ପାଇଁ ଭାରତକୁ ଓକିଲ ନିଯୁକ୍ତି ନିମନ୍ତେ ଅନୁମତି ଦେଇଛନ୍ତି ଇସଲାମାବାଦ କୋର୍ଟ।
ଏ ନେଇ ଆଟର୍ଣି ଜେନେରାଲ ଖାଲିଦ ଜାଭେଦ ଖାନ୍ ଗଣମାଧ୍ୟମକୁ କହିଛନ୍ତି ଯେ କୁଳଭୂଷଣ ସପକ୍ଷରେ ଭାରତ ଓକିଲ ନିଯୁକ୍ତ କରିପାରିବ। ଏ ନେଇ କୋର୍ଟ ଅନୁମତି ଦେଇଛନ୍ତି। ତେବେ ଓକିଲ ଜଣକ ଭାରତୀୟ ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି। କେବଳ ପାକିସ୍ତାନର ଆଇନଜୀବୀଙ୍କୁ ହିଁଏ ନେଇ ଭାରତୀୟ ଦୂତାବାସ ନିଯୁକ୍ତ କରିପାରିବ।
କୁଳଭୂଷଣଙ୍କୁ ୩ ମାର୍ଚ୍ଚ ୨୦୧୬ରେ ବେଲୁଚିସ୍ତାନରେ ଗିରଫ କରିଥିଲା ପାକିସ୍ତାନ। ପାକିସ୍ତାନରେ ଆତଙ୍କବାଦ ଓ ଭାରତ ପକ୍ଷରୁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ୨୦୧୭ ଏପ୍ରିଲ ମାସରେ ତାଙ୍କୁ ପାକିସ୍ତାନ ସେନା କୋର୍ଟରେ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା। ଏହି ରାୟ ବିପକ୍ଷରେ ଭାରତ ଇଣ୍ଟରନାସନାଲ କୋର୍ଟ ଅଫ୍ ଜଷ୍ଟିସ୍କୁ ଯାଇଥିଲା ଓ ସେଠାରେ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ଲାଗିଥିଲା।
ଯାଦବଙ୍କ ମୁକ୍ତି ପାଇଁ ଭାରତ ପ୍ରାର୍ଥନା କରିଥିଲେ ବି ଇଣ୍ଟରନାସନାଲ କୋର୍ଟ ଏହାକୁ ୧୭ ଜୁଲାଇ ୨୦୧୯ରେ ଅଗ୍ରାହ୍ୟ କରିଥିଲେ ଓ ମୃତ୍ୟୁଦଣ୍ଡାଦେଶକୁ ମଧ୍ୟ ଖାରଜ କରିଥିଲେ। ପାକିସ୍ତାନ ଏ ମାମଲାର ପୁନର୍ବିଚାର କରୁ ବୋଲି କୋର୍ଟ ରାୟ ଦେଇଥିଲେ। ଭାରତ ଦୂତାବାସକୁ ଏହି ମାମଲାରେ ପକ୍ଷ ରଖିବାର ସୁଯୋଗ ମିଳୁ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।