Odisha Link
Bridging the Missing Links in Odisha

ରାମ ମନ୍ଦିର ଭୂମିପୂଜା: ୧୭୫ ଜଣ ନିମନ୍ତ୍ରିତ, ମଞ୍ଚରେ ବସିବେ ୫

ଅଯୋଧ୍ୟା: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମଜନ୍ମଭୂମି ସ୍ଥଳରେ ହେବାକୁ ଥିବା ମନ୍ଦିର ଭୂମିପୂଜା ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ ହୋଇଛି। କୋଭିଡ୍‌ କଟକଣା ମଧ୍ୟରେ ହେବାକୁ ଥିବା ଏ ଉତ୍ସବକୁ ମାତ୍ର ୧୭୫ ଜଣଙ୍କୁ ନମନ୍ତ୍ରଣ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ସମେତ ମଞ୍ଚରେ ୫ ଜଣ ଅତିଥି ବସିବେ ବୋଲି ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଅଛି।

ଉତ୍ସବକୁ ଆଉ ମାତ୍ର ଦୁଇଦିନ ବାକି ଥିବା ବେଳେ ଆଜି ଉତ୍ସବର ନିମନ୍ତ୍ରଣ ପତ୍ର ଓ ଅତିଥିମାନଙ୍କ ବାବଦରେ ତଥ୍ୟ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର। ଏହି ଉତ୍ସବ ବେଳେ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରୀୟ ସ୍ବୟସେବକ ସଂଘର ସରସଂଘଚାଳକ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମହନ୍ତ ନୃତ୍ୟଗୋପାଳ ଦାସ ଉପସ୍ଥିତ ରହିବେ।

ଅପରାହ୍ଣ ୧୨ଟା ୩୦ରେ ଆରମ୍ଭ ହେବାକୁ ଥିବା ଏହି ଉତ୍ସବରେ ଭାଗନେବା ପାଇଁ ୧୭୫ ଜଣ ବ୍ୟଙ୍କିଙ୍କୁ ନିମନ୍ତ୍ରଣ ପଠାଯାଇଛି। ପ୍ରଥମ ନିମନ୍ତ୍ରଣ ପତ୍ର ରାମ ମନ୍ଦିର ବିବାଦର ଅନ୍ୟତମ ମୁସଲମାନ ପକ୍ଷଧର ଇକବାଲ ଅଂସାରୀଙ୍କୁ ପଠାଯାଇଛି। ୧୦ହଜାରରୁ ଅଧିକ ଅଜଣା ଶବଦାହ କରିଥିବା ସମାଜସେବୀ ପଦ୍ମଶ୍ରୀ ମହମ୍ମଦ ଶରିଫ ମଧ୍ୟ ଏହି ତାଲିକାରେ ଅଛନ୍ତି। ରାମ ମନ୍ଦିର ପ୍ରତିଷ୍ଠା ଉଦ୍ୟମର ମୁଖ୍ୟ ସୂତ୍ରଧର କହାଯାଉଥିବା ଲାଲକୃଷ୍ଣ ଆଡ଼ଭାନୀ, ମୂରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କୁ ଅତିଥି ତାଲିକାରୁ ବାଦ ଦିଆଯାଇଛି। ଆଡ଼ଭାନୀ ଓ ଯୋଶୀ ଅନ୍‌ଲାଇନ୍‌ରେ ଉତ୍ସବ ଦେଖିବେ। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସେ ଉତ୍ସବ ପରେ ସଭା ସ୍ଥଳକୁ ଆସିବେ ବୋଲି ପୂର୍ବରୁ କହିଥିଲେ ଉମା ଭାରତୀ।

ପ୍ରଧାନମନ୍ତ୍ରୀ ୪୦ କେଜି ଓଜନର ଏକ ଇଟା ମାଧ୍ୟମରେ ରାମ ମନ୍ଦିର ନିର୍ମାଣର ସାଂକେତିକ ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି।

Comments are closed.