କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ରାଜ୍ୟବାସୀଙ୍କ ନୀରବ ପ୍ରାର୍ଥନା, ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ବିଗିଡ଼ିବାରେ ଲାଗିଛି। ଅପରପକ୍ଷେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି କରୋନା ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା କଲା ସାରା ଓଡ଼ିଶା। ଯେଉଁମାନେ ମହାମାରୀ ମୁକାବିଲାରେ ନିଜ ପ୍ରାଣବଳୀ ଦେଇଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବାକୁ ଗୋଟିଏ ମିନିଟର ନିରବ ପ୍ରାର୍ଥନା କରିଛି ସାରା ଓଡ଼ିଶା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୨୫୦୦୦ କରୋନା ଆକ୍ରାନ୍ତ ସୁସ୍ଥ ହେବା ପଛରେ ରହିଛି କରୋନା ଯୋଦ୍ଧାଙ୍କ ତ୍ୟାଗ। ସେମାନଙ୍କ ତ୍ୟାଗର ତୁଳନା ନାହିଁ, ୨୫ ଜଣ କୋଭିଡ୍ ଯୋଦ୍ଧା ପ୍ରାଣବଳୀ ଦେଇଛନ୍ତିା ଆଉ ଆଜି ସେମାନଙ୍କୁ ସାରା ଓଡିଶା ସମ୍ନାନ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ନିରବ ପ୍ରାର୍ଥନା ପରେ ସମସ୍ତଙ୍କୁ ଶପଥ କରାଇଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ ଯୋଦ୍ଧାଙ୍କୁ ସମ୍ନାନ ଜଣାଇବା ସହ କୋଭିଡ୍ ନିୟମ ମାନିବାକୁ ବି କରାଇଲେ ଶପଥ କରାଇଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ନିରବ ପ୍ରାର୍ଥନାର ଠିକ ୨ ମିନିଟ୍ ପୂର୍ବରୁ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ହେବା ପରେ କୋଭିଡ୍ ଯୋଦ୍ଧାମାନଙ୍କ ଅବଦାନ ଉପରେ ୨ ମିନିଟର ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଏହାପରେ ୧ ମିନିଟ୍ ଲାଗି ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ୬.୦୧ ମିନିଟରେ ଓଡ଼ିଶାରେ କୋଭିଡ୍ ଯୁଦ୍ଧ ଓ ୨୫୦୦୦ରୁ ଅଧିକ ସୁସ୍ଥ ହେବାକୁ ନେଇ ୩ ମିନିଟର ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଠିକ୍ ୬.୦୪ ମିନିଟରେ ମୁଖ୍ୟମନ୍ତ୍ରୀ ନିଜେ ଟିଭି ଓ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ୮ ସୂତ୍ରୀ ଶପଥ ପତ୍ର ପାଠ କରାଇଥିଲେ।
ମୁଖ୍ୟମନ୍ତ୍ରୀ ଗତକାଲି କହିଥିଲେ, ଏହି ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ୍ ନିୟମାବଳୀର କଡ଼ାକଡ଼ି ପାଳନ ଲାଗି ଏହି ଶପଥପାଠ ଦାୟିତ୍ବବାନ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦେବ। ଏଥିସହିତ କୋଭିଡ୍ ଯୋଦ୍ଧାମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ତଥା ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଦାୟିତ୍ବ ପାଳନ କରିବା ପାଇଁ ଏହା ଶ୍ରେଷ୍ଠ ମାର୍ଗ ।