କରୋନା କାଳରେ ହୋଇପାରେ ବିଧାନସଭା

ଭୁବନେଶ୍ୱର: କରୋନା କାଳରେ ହୋଇପାରେ ବିଧାନସଭା ମୌସୁମୀ ଅଧିବେଶନ। ଚଳିତ ମାସ ଶେଷ ସପ୍ତାହରେ ବିଧାନସଭାର ମୌସୁମୀ ଅଧିବେଶନ ବସିପାରେ ବୋଲି ଚର୍ଚ୍ଚା ହେଉଛି। ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦୁଇ ଦିନ ତଳେ ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ଆଲୋଚନା ହୋଇଥିଲା। ଖୁବଶୀଘ୍ର ସେ ବିଧାନସଭାର ମୌସୁମୀ ଅଧିବେଶନ ଡାକିବେ ବୋଲି କହିଥିବା ସନ୍ତୋଷ ସିଂହ ସାଲୁଜା କହିଛନ୍ତି।
ପ୍ରକାଶ ଯେ, କରୋନା ସଂକ୍ରମଣ ଓଡ଼ିଶାରେ ଆରମ୍ଭ ହେବା ମାତ୍ରେ ପ୍ରାରମ୍ଭିକ ପଦକ୍ଷେପ ସ୍ୱରୂପ ବିଧାନସଭାର ଅଧିବେଶନକୁ ବନ୍ଦ କରିଦିଆଯାଇଥିଲା । ବିଧାନସଭାରେ ଥିବା ମେଡିକାଲକୁ ଜଣେ କରୋନା ଆକ୍ରାନ୍ତ ମଧ୍ୟ ଆସିଥିଲେ । ଯେଉଁଥି ପାଇଁ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନିକଟରେ ବିଧାନସଭାର କମିଟି ବୈଠକକୁ ମଧ୍ୟ ବାଚସ୍ପତି ବାତିଲ କରିଦେଇଥିଲେ। ଇତି ମଧ୍ୟରେ ବିଧାନସଭା ପରିସରକୁ ସାନିଟାଇଜ ମଧ୍ୟ କରାଯାଇଥିଲା।