Odisha Link
Bridging the Missing Links in Odisha

ଓଟିଭି ଚ୍ୟାନେଲ୍‌ ଆସୁଥିବା ହୋଟେଲ୍‌ ରୁମ୍‌ ମୋର ପସନ୍ଦ: ଅନୁଭବ

ଭୁବନେଶ୍ବର: ଦୁଇଦିନ ହେଲା କରୋନା ସଂକ୍ରାନ୍ତ ଏକ ଭାଇରାଲ୍‌ ଅଡିଓର ପ୍ରସାରଣ ନେଇ ରାଜ୍ୟ ସରକାର ଓ ଓଟିଭି ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟ୍‌ ଏବେ ଚର୍ଚ୍ଚାରେ। ଏକଦା ଓଟିଭି ଗ୍ରୁପ୍‌ ସହ ବେଶ୍‌ ଘନିଷ୍ଠ ଥିବା ଅନୁଭବ ଲେଖିଛନ୍ତି ଯେ ଆଗରୁ ସେ କୌଣସି ହୋଟେଲକୁ ଗଲେ ସେଠାରେ ଥିବା ଟିଭିରେ ଓଟିଭି ନ୍ୟୁଜ୍‌ ଚାନେଲ ଆସୁଛି କି ନାହିଁ ପ୍ରଥମେ ବୁଝୁଥିଲେ। ଏପରିକି କେତେକ ହୋଟେଲ ରହଣି ସମୟରେ ଖାସ୍‌ ଓଟିଭି ଦେଖିବା ଲାଗି ସେ ହୋଟେଲ କର୍ତୃପକ୍ଷଙ୍କୁ ଅଧିକ ଟଙ୍କା ଦେଇଥିବା ଉଲ୍ଲେଖ କରିଛନ୍ତି ଅନୁଭବ।

ପୂର୍ବତନ ସାଂସଦ ଓ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ତଥା ଓଟିଭି ଗ୍ରୁପ୍‌ର ମୁଖ୍ୟ ଜାଗୀମଙ୍ଗତ ପଣ୍ଡାଙ୍କୁ ଟ୍ୟାଗ୍‌ କରି ରବିବାର ଦିନ ବିଳମ୍ବିତ ରାତିରେ ଏହି ଫେସ୍‌‌ବୁକ୍‌ ପୋଷ୍ଟ ଛାଡ଼ିଛନ୍ତି ବିଜୁ ଜନତା ଦଳ ନେତା ଅନୁଭବ। ଓଟିଭି ପ୍ରତି ଏକଦା ତାଙ୍କର ଆଗ୍ରହ ବ୍ୟକ୍ତ କରିବା ସହ ଅନୁଭବ ଲେଖିଛନ୍ତି ଯେ ଓଟିଭି ଓଡ଼ିଶାର ସବୁଠୁ ଖରାପ ଚ୍ୟାନେଲ ବୋଲି ସେ ପରେ ଅନୁଭବ କଲେ। ଏପରିକି ଏହି ସଂସ୍ଥା ସହ ପୂର୍ବରୁ କାମ କରିଥିବାରୁ ସେ ଲଜ୍ଜିତ ବୋଲି ଲେଖିଛନ୍ତି।

ଓଟିଭି ଗ୍ରୁପ୍‌ର ପ୍ରଯୋଜନା ସଂସ୍ଥା ‘ତରଙ୍ଗ ସିନେ ପ୍ରଡକ୍ସନ୍ସ’ ଅଧୀନରେ ଗପହେଲେ ବି ସତ, ଜଗା ହାତରେ ପଘାପ୍ରେମ୍‌ କୁମାର୍‌ ପରି ଏକାଧିକ ସିନେମାରେ ମୁଖ୍ୟନାୟକ ସାଜିଛନ୍ତି ଅନୁଭବ। ସେ ରାଜନୀତିରେ ଯୋଗଦେବା ପରେ ଓ ବୈଜୟନ୍ତ ବିଜେଡି ଛାଡ଼ି ବିଜେପିମୁହାଁ ହେବା ପରେ ଓଟିଭି ସହ ଅନୁଭବଙ୍କର ସମ୍ପର୍କ ଛିନ୍ନ ହୋଇଥିଲା। ଗତ ସାଧାରଣ ନିର୍ବାଚନରେ ସେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରୁ ବୈଜୟନ୍ତଙ୍କ ବିରୋଧରେ ପ୍ରାର୍ଥୀ ହୋଇ ବିଜୟୀ ମଧ୍ୟ ହୋଇଥିଲେ।

ନିଜକୁ ଜଣେ ଦାୟିତ୍ବସମ୍ପନ୍ନ ଯୁବନେତା ବୋଲି ଦାବି କରିଥିବା ଅନୁଭବ ଓଡ଼ିଶାର ଯୁବକମାନଙ୍କୁ କେବେ ବି ବିଭ୍ରାନ୍ତ କରିବାର ଦୁଃସାହସ କରିବେନାହିଁ ବୋଲି ଫେସ୍‌ବୁକ୍‌ ପୋଷ୍ଟ୍‌ରେ ଲେଖିଛନ୍ତି। ଓଟିଭିକୁ ବ୍ୟାନ୍‌ କରିବା ପାଇଁ ସେ ଯୁବସମାଜକୁ ଆହ୍ବାନ ଦେବା ସହ ଓଡ଼ିଶା ଅଗ୍ରଗତିରେ ବିଳମ୍ବ ପାଇଁ ଓଟିଭିକୁ ଦାୟୀ କରିଛନ୍ତି ଅନୁଭବ।

ଅନୁଭବ ଲେଖିଛନ୍ତି,

ମୁଁ ସେମାନଙ୍କୁ (ଓଡ଼ିଶାର ଯୁବକ) ଆନ୍ତରିକତା, ଭଲପାଇବା ଓ ସଚ୍ଚୋଟତାର ସହ ଏତିକି କହିବାକୁ ଚାହେ… ଏହି ଓଡ଼ିଶା ବିରୋଧୀ ଚ୍ୟାନେଲ୍‌କୁ ନିଷେଧ କରିବାର ଶପଥ ନେବା। ମୁଁ ଜାଣେ ମୋ ସହ କେତେଜଣ ହୁଏତ ଏକମତ ନହୋଇପାରନ୍ତି। କିନ୍ତୁ ମୋତେ ବିଶ୍ବାସ କରନ୍ତୁ, ମୁଁ ଏକଦମ ସଚ୍ଚୋଟ। ଆମ ମାତୃଭୂମି ଓଡ଼ିଶାର ଅଗ୍ରଗତି ବିଳମ୍ବ ହେଉଛି ଏବଂ ଏଥିପାଇଁ ଏଇ ଓଟିଭିର ବ୍ୟକ୍ତିଗତ ରାଜନୈତିକ ସ୍ବପ୍ନ ଓ ବ୍ୟକ୍ତିଗତ ରାଜନୈତିକ କାର୍ଯ୍ୟକ୍ରମ ହିଁ ଦାୟୀ।

ତେବେ କିଛି ପ୍ରଶଂସକ ଅନୁଭବଙ୍କ ଏହି ପୋଷ୍ଟ୍‌କୁ ପସନ୍ଦ କରିଥିବା ବେଳେ ଅଧିକାଂଶ ତାଙ୍କର ଏଭଳି ମନ୍ତବ୍ୟକୁ ନକାରାତ୍ମକ ଦୃଷ୍ଟିରେ ଦେଖିଛନ୍ତି।

ରାଜ୍ୟରେ କରୋନା ଅବ୍ୟବସ୍ଥା ଅଭିଯୋଗ ନେଇ ଓଟିଭି ଡିଜିଟାଲ୍‌ ମାଧ୍ୟମରେ ପ୍ରସାରିତ ଏକ ଅଡିଓ ପ୍ରସଙ୍ଗରେ ଭୁବନେଶ୍ବର ମହାନଗର ନିଗମ କର୍ତୃପକ୍ଷ ଏହି ଟିଭି ଚ୍ୟାନେଲ ନନାମରେ ମାମଲା ରୁଜୁ କରିଛନ୍ତି। ଭାଇରାଲ୍‌ ଅଡିଓରେ ଯେଉଁ ଦୁଇଜଣଙ୍କର ସ୍ବର ଅଛି ସେମାନଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଅନ୍ୟପଟେ ରାଜ୍ୟ ସରକାର ଜାଣିଶୁଣି ଓଟିଭିକୁ ହଇରାଣ କରୁଛି ବୋଲି ଏହି ନ୍ୟୁଜ୍‌ ଚ୍ୟାନେଲ ପକ୍ଷରୁ କହାଯାଇଛି।

Comments are closed.