Odisha Link
Bridging the Missing Links in Odisha

ଓଡ଼ିଶାରେ ନ୍ୟୁନତମ ରୋଜଗାର କାର୍ଯ୍ୟକ୍ରମ ପାଇଁ ନୋବେଲ ବିଜୟୀ ଅଭିଜିତ୍‌ ବାନାର୍ଜୀଙ୍କ ପ୍ରସ୍ତାବ

ଭୁବନେଶ୍ବର: ଓଡ଼ିଶାର ଖଣିଜସମ୍ପଦ ଭରା ଜିଲ୍ଲାରେ ଗରିବ ଲୋକଙ୍କୁ ନିଶ୍ଚିତ ରୋଜଗାର ଦେବା ଲକ୍ଷ୍ୟରେ ସମାବେଶୀ ବିକାଶ ଲାଭାଂଶ (IGD) ବା ସାର୍ବଜନୀନ ନ୍ୟୁନତମ ଆୟ (UBI) କାର୍ଯ୍ୟକ୍ରମ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି ନୋବେଲ ବିଜୟୀ ଅର୍ଥନୀତିଜ୍ଞ ଅଭିଜିତ୍‌ ବାନାର୍ଜୀ ଓ ଇଷ୍ଟର ଡୁଫ୍ଲୋଙ୍କ ଅନୁଷ୍ଠାନ ଅବଦୁଲ ଲତିଫ ଜମିଲ ପଭର୍ଟି ଆକ୍ସନ୍‌ ଲାବ୍‌ (J-PAL)ର ଦକ୍ଷିଣ ଏସିଆ ଶାଖା। ଏହି କାର୍ଯ୍ୟକ୍ରମ ଆରମ୍ଭ ହେଲେ ପିଲା ଠାରୁ ବୁଢ଼ା ଯାଏଁ ହିତାଧିକାରୀଙ୍କ ବ୍ୟାଙ୍କ୍‌ ଖାତାକୁ ପ୍ରତିମାସରେ ୧୦୦ ଯଙ୍କା ଦିଆଯିବ।

ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୩ଟି ଜିଲ୍ଲାର ୪୦୦ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପ୍ରସ୍ତାବ ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ। ଏଥିଲାଗି ୨ ବର୍ଷରେ ୩୦୦ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଛି। ଶିଶୁ-କିଶୋରମାନଙ୍କର ବ୍ୟାଙ୍କ ଖାତା ନଥିଲେ ସେମାନଙ୍କୁ ମିଳିବାକୁ ଥିବା ଅର୍ଥ ସେମାନଙ୍କ ମା’ଙ୍କ ଖାତାକୁ ଯିବ। ରାଜ୍ୟରେ ଦାରିଦ୍ର‍୍ୟ ନିରାକରଣ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ପ୍ରଭାବୀ କରିବା ପାଇଁ ଗତ ବର୍ଷ ଜେ-ପଲ୍‌ ସହ ରାଜ୍ୟ ସରକାର ଏକ ଚୁକ୍ତି ସ୍ବାକ୍ଷର କରିଥିଲେ।

ତେବେ ବର୍ତ୍ତମାନ ପାଇଁ କେବଳ କେନ୍ଦୁଝର ଓ ସୁନ୍ଦରଗଡ଼ରେ ଏହି କାର୍ଯ୍ୟକ୍ରମ ଲାଗୁ କରିବା ସମ୍ଭବ ହେବ ବୋଲି ରାଜ୍ୟ ସରକାର କହିଛନ୍ତି। ଏହି ଦୁଇ ଜିଲ୍ଲାରେ ଥିବା ଜିଲ୍ଲା ଖଣିଜ ପାଣ୍ଠି(DMF)ରୁ ଏଥିଲାଗି ଅର୍ଥ ବ୍ୟୟ କରାଯାଇପାରିବ ବୋଲି ସରକାରଙ୍କ ସୂତ୍ରରୁ ପ୍ରକାଶ। ଏ ନେଇ ଗତ ସପ୍ତାହରେ ଜେ-ପଲ କର୍ତୃପକ୍ଷଙ୍କ ସହ ରାଜ୍ୟ ଉନ୍ନୟନ ଆୟୁକ୍ତ ସୁରେଶ ମହାପାତ୍ର ପ୍ରଥମ ପର୍ଯ୍ୟାୟ ଆଲୋଚନ କରିଛନ୍ତି। ପ୍ରକଳ୍ପ ଚିଠା ମିଳିବା ପରେ ଏହା ଉପରେ ଦୁଇ ଜିଲ୍ଲାର DMF ଟ୍ରଷ୍ଟ୍‌ ବୋର୍ଡ ବିଚାର କରବେ । ଯଦି ଏହା ସମ୍ଭବ ମନେହେଲା ତେବେ ଅନୁମୋଦନ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଖଣି ଅଞ୍ଚଳର ୧୦ କିଲୋମିଟର ପରିଧି ମଧ୍ୟରେ ଥିବା ଗ୍ରାମଗୁଡ଼ିକୁ ଏଥିରେ ସାମିଲ କରିବା ଲାଗି ରାଜ୍ୟ ସରକାର ପ୍ରସ୍ତାବ ରଖିଛନ୍ତି।

ଓଡ଼ିଶା ପଞ୍ଚାୟତିରାଜ ବିଭାଗ ଦ୍ବାରା କରାଯାଇଥିବା ଆକଳନ ଅନୁଯାୟୀ ସୁନ୍ଦରଗଡ଼ରେ ୬୫% ଓ କେନ୍ଦୁଝରରେ ୬୯% ବ୍ୟକ୍ତି ଦାରିଦ୍ର‍୍ୟ ସୀମାରେଖା ତଳେ ଅଛନ୍ତି।

Comments are closed.