ପାଣିରେ ବୁଡ଼ି ହାତୀଛୁଆ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବନଖଣ୍ଡ ଅଞ୍ଚଳରେ ପାଣିରେ ବୁଡ଼ି ଏକ ହାତୀଛୁଆର ମୃତ୍ୟୁ ଘଟିଛି। ଆଜି ସକାଳେ ହେମଗିର ବନଖଣ୍ଡର ବାଘୋରା ସେକ୍ସନ ଖଜୁରବାହାଲ ଗାଁର ଚାଷ ଜମି ନିକଟରେ ଥିବା ଏକ ଗାଡ଼ିଆରେ ହାତୀ ଛୁଆ ପାଣିରେ ବୁଡ଼ିଯିବାରୁ ତାର ମୃତ୍ୟୁ ଘଟିଛି। ଉକ୍ତ ଛୁଆ ହାତୀର ବୟସ ପ୍ରାୟ ଏକ ମାସ ହେବ।
ସୂଚନା ମୁତାବକ, ଗତ ରାତିରେ ହେମଗିର ଗାଁ ପାଖ ଜଙ୍ଗଲରୁ ଏକ ୬/୭ ଜଣିଆ ହାତୀପଲ ଚାଷଜମିରେ ପଶିଥିଲେ। ଛୁଆହାତୀଟି ଗାଡ଼ିଆରେ ପଡ଼ିଯାଇ କାଦୁଅରେ ଫସି ଯାଇଥିଲା। ଛୁଆହାତୀର ମା’ ଓ ଅନ୍ୟ ହାତୀମାନେ କାଦୁଅରେ ଫସିଥିବା ତାକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଛୁଆହାତୀର ମୃତ୍ୟୁ ହୋଇଥିବା ଜଣାଯାଇଛି। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛୁଆହାତୀର ମୃତ ଦେହକୁ କାଦୁଅରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି ପଠାଉଥିବା ଜଣାଯାଇଛି।