କଦଳୀ ପାଟୁଆ ଭେଳା ଓଲଟି ୨ ଭାଇ ମୃତ

ଯାଜପୁର: କଦଳୀ ପାଟୁଆ ଭେଳା ଓଲଟି ୨ ଭାଇ ମୃତ। ଯାଜପୁର ବରୀ ବ୍ଲକ ମନ୍ଦାଳୀ ପଞ୍ଚାୟତର ମେଦୁଆକୂଳ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। କଦଳୀ ପାଟୁଆର ଭେଳାରେ ଦୁଇଜଣ ଯାଉଥିବା ବେଳେ ୧୧ କେଭି ଲାଇନ୍ ସଂସ୍ପର୍ଶରେ ଆସି ଉଭୟଙ୍କର ପ୍ରାଣହାନି ଘଟିଛି। ମୃତକ ଦୁଇ ଜଣ ହେଲେ ଶୁଭ୍ରଜିତ ବେହେରା(୨୪) ଓ ମିଟୁଲ ବେହେରା (୨୯)।
ସୂଚନା ମୁତାବକ, ଆଜି ସକାଳ ୯ଟାରେ ଦୁଇ ସଂପର୍କୀୟ ଭାଇ ଛେଳିଙ୍କ ପାଇଁ ଡାଳପତ୍ର ଆଣିବା ଲାଗି କଦଳୀ ପାଟୁଆର ଭେଳାରେ କାତ ମାରି ବାହାରିଥିଲେ। ହେଲେ ସେଠାରୁ ଅଳ୍ପ ଦୂର ଯିବା ପରେ ହଠାତ୍ ୧୧ କେଭି ଲାଇନ୍ ସଂସ୍ପର୍ଶରେ ସେମାନଙ୍କ କାତ ଆସିଥିଲା। ଏଥିରେ ସାଙ୍ଗେସାଙ୍ଗେ ଜଣେ ପାଣିରେ ଖସିପଡ଼ିଥିଲେ ଏବଂ ଆର ଜଣଙ୍କ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ବରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।