ଅନୁଭବ +୨ ଫେଲ୍: ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ବର: ପାରିବାରିକ ବିବାଦ ଓ ବିବାହ ବିଚ୍ଛେଦ ମାମଲାରେ ଚର୍ଚ୍ଚାକୁ ଆସିଥିବା ଅଭିନେତା-ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପୁଣି ଏକ ବଡ଼ ଅଭିଯୋଗ ଆଣିଛି ଓଡ଼ିଶା କଂଗ୍ରେସ। ନିର୍ବାଚନ ପୂର୍ବରୁ ନାମାଙ୍କନ ଦାଖଲ ସମୟରେ ଦେଇଥିବା ଶିକ୍ଷାଗତ ଯୋଗ୍ୟତା ତଥ୍ୟରେ ଅନୁଭବ ନିଜକୁ ସ୍ନାତକ (+୩) ଉତ୍ତୀର୍ଣ୍ଣ ଦର୍ଶାଇଥିବା ବେଳେ ସେ +୨ ଫେଲ୍ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
ଆଜି ,କ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ ସୂଚନା ଅଧିକାର ଆଇନ ବଳରେ ସେ ଅନୁଭବଙ୍କ ଶିକ୍ଷାଗତ ଯୋଗ୍ୟତା ବାବଦରେ ତଥ୍ୟ ଯୋଗାଡ଼ କରିଛନ୍ତି। ୧୯୯୮ ମସିହାରେ ଅନୁଭବ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରେ +୨ରେ ନାମ ଲେଖାଇଥିଲେ। ୨୦୦୦ ମସିହାରେ +୨ ଚୂଡ଼ାନ୍ତ ପରୀକ୍ଷାରେ ଅନୁଭବ ଫେଲ ହୋଇଥିଲେ ବୋଲି ସେ କହିଛନ୍ତି। ଆଉ ଏକ ସୂଚନା ଆଧାରରେ ଅନୁଭବ ଏବେ କନ୍ଦରପୁର କଲେଜରେ +୩ ପଢ଼ୁଥିବା ଜଣାପଡ଼ିଛି। ଏପରିକି କନ୍ଦରପୁର କଲେଜରେ ଅନୁଭବ ପ୍ରଥମ ବର୍ଷ ପରୀକ୍ଷା ମଧ୍ୟ ଦେଇଛନ୍ତି। ଅନୁଭବ କେବେ ଓ କେଉଁଠି +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।
ତେବେ ଅନୁଭବଙ୍କ ସତ୍ୟପାଠରେ ସେ +୩ ଉତ୍ତୀର୍ଣ୍ଣ ବୋଲି ଉଲ୍ଲେଖ ଅଛି। ସେ ଶୋଭିତ୍ ୟୁନିଭର୍ସିଟି ନାମକ ଏକ ଜାଲ ବିଶ୍ବବିଦ୍ୟାଳୟର ନକଲି ପ୍ରମାଣପତ୍ର ଯୋଗାଡ଼ କରି ନିଜକୁ ସ୍ନାତକ ବୋଲାଉଛନ୍ତି ବୋଲି ଗତ ଫେବ୍ରୁଆରୀ ୩ ତାରିଖରେ ମଧ୍ୟ କଂଗ୍ରେସ ଅଭିଯୋଗ କରିଥିଲା। +୨ ପାସ୍ କରି ନଥିବା ଜଣେ ନେତା ନିଜକୁ କିଭଳି ସ୍ନାତକ ଘୋଷଣା କଲେ ତାହା ସ୍ପଷ୍ଟ କରନ୍ତୁ ବୋଲି ନିଶିକାନ୍ତ ଦାବି କରିଛନ୍ତି।
ଶାସକ ଦଳର ସାଂସଦ ହୋଇଥିବାରୁ ଅନୁଭବଙ୍କ ମିଥ୍ୟା ସତ୍ୟପାଠ, ସାମ୍ବାଦିକ ଓ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଓ ସଂପ୍ରତି ପତ୍ନୀଙ୍କୁ ଅତ୍ୟାଚାର ଭଳି ଘଟଣାକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି ବୋଲି କଂଗ୍ରେସ ଦାବି କରିଛି। ମୁଖ୍ୟମନ୍ତ୍ରୀ ଅନୁଭବଙ୍କ ବିରୋଧରେ ଉଭୟ ଆଇନଗତ ଓ ରାଜନୈତିକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।