ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟ ସରକାର ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଭୁବନେଶ୍ୱରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହା ପୂର୍ବରୁ ଭୁବନେଶ୍ୱର ସର୍କିଟ ହାଉସରେ ପରୀକ୍ଷା ପରିଚାଳନାକୁ ନେଇ ଆଜି ବୈଠକ ବସିଥିଲା। ଖୋର୍ଦ୍ଧ ଜିଲ୍ଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବାବେଳେ ଏଥିରେ ଯୋଗ ଦେଇଥିଲେ ଏଡିଏମ, ନିଟ ରାଜ୍ୟ ସଂଯୋଜକଙ୍କ ସହ ବରିଷ୍ଠ ଅଧିକାରୀ।
ପରୀକ୍ଷାର ସୁପରିଚାଳନା ନେଇ ନିଟର ରାଜ୍ୟ ସଂଯୋଜିକା ପଲ୍ଲୀ ପଟ୍ଟନାୟକ କହିଛନ୍ତି ଯେ, ଜେଇଇ ମେନ ଭଳି ନିଟ ପାଇଁ ପରୀକ୍ଷା କେନ୍ଦ୍ରରେ ଆଇସୋଲେସନ ରୁମ ରହିବ। ଅସୁସ୍ଥ ଥିବା ପରୀକ୍ଷାର୍ଥୀ ସେଠାରେ ପରୀକ୍ଷା ଦେବେ। ସେମାନଙ୍କ ପାଇଁ ୨ ଜଣ ପରୀକ୍ଷା ନିୟନ୍ତ୍ରକ ପିପିଇ କିଟ ପିନ୍ଧି ପରୀକ୍ଷା ପରିଚାଳନା କରିବେ। ବାହାରୁ ଆସୁଥିବା ପିଲାଙ୍କ ପାଇଁ ରାଜଧାନୀରେ ୬ଟି ରହଣୀ କେନ୍ଦ୍ର କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଭୁବନେଶ୍ୱରରେ ମୋଟ ୩୧ଟି ପରୀକ୍ଷା କେନ୍ଦ୍ରକୁ ୯ଟି ଜୋନରେ ବିଭକ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଛାତ୍ରଛାତ୍ରୀଙ୍କୁ ସୁରଖୁରୁରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ସବୁ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।