ଡ୍ରଗ୍ସ ଲିଙ୍କ୍ ନେଇ ମୁମ୍ବାଇ ଓ ଗୋଆରେ ଏନସିବିର ଚଢଉ

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏନସିବି ଜୋରଦାର ତଦନ୍ତ ଜାରି ରଖିଛି। ବଲିଉଡରେ ଡ୍ରଗ୍ସ କନେକ୍ସନକୁ ନେଇ ଏନସିବି ଆଜି ସକାଳେ ଏକ ବଡ଼ ଧରଣର ଛାନଭିନ୍ କରିଛି। ମୁମ୍ବାଇ ଏବଂ ଗୋଆରେ କିଛି ସ୍ଥାନରେ ଚଢଉ କରିଛି। ଡ୍ରଗ୍ସ ପ୍ୟାଡଲରଙ୍କ ସହିତ ଜଡ଼ିତ ୭ ଟି ସ୍ଥାନରେ ରେଡ ହୋଇଛି। ଗିରଫ ହୋଇଥିବା ଡ୍ରଗ୍ସ ଡିଲର ଅନୁଜ କେଶଓ୍ୱାନୀର ଠାରୁ ମିଳିଥିବା ସୂଚନା ଆଧାରରେ ରେଡ଼୍ ହୋଇଛି। ତଦନ୍ତ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ପାଇଁ ଏନ୍ସିବି ଶନିବାର ତିନି ଡ୍ରଗସ ମାଫିଆଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନଙ୍କୁ ବଲିଉଡ଼ର ନିଶା କନେକ୍ସନ ବିଷୟରେ ଜେରା କରାଯିବ ବୋଲି କୁହାଯାଇଛି।
ଖବର ଅନୁସାରେ ଡ୍ରଗ୍ସ ମାମଲାରେ କେତେକ ନାମିଦାମି ନାମ ସାମ୍ନାକୁ ଆସିପାରେ ଏବଂ ଗିରଫ ମଧ୍ୟ ହୋଇପାରନ୍ତି। ଏନସିବି ଖୋଳତାଡରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ବଲିଉଡ଼ର ପ୍ରାୟ ୨୫ଜଣଙ୍କ ନାଁ ଖୁଲାସା କରିଛନ୍ତି। ଯାହାକୁ ନେଇ ଆଜି ଏନସିବି ମୁମ୍ବାଇ ଓ ଗୋଆର ୭ଟି ସ୍ଥାନରେ ତନାଘନା ଜାରି ରଖିଛିି। ତେବେ ଡ୍ରଗସ ବେପାରରେ କେଉଁ କେଉଁ ବ୍ୟକ୍ତି ସାମିଲ ରହିଛନ୍ତି, ନିୟମିତ ଗ୍ରାହକ କିଏ ଓ ମୁଖ୍ୟ ଆସାମୀଙ୍କୁ ଧରିବା ପାଇଁ ଏନସିବି ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ୱରାନିତ କରିଛି । ଶନିବାର ତିନି ଡ୍ରଗସ ମାଫିଆଙ୍କୁ ଜେରା ପରେ ପରେ ଏନସିବି ବଲିଉଡର ପ୍ରମୁଖ ହସ୍ତୀମାନଙ୍କୁ ଜେରା ଆରମ୍ଭ କରିବେ ବୋଲି ସୂଚନା ରହିଛି।