Odisha Link
Bridging the Missing Links in Odisha

କର୍ଣ୍ଣାଟକରେ କରୋନାର ବିକଳ ଚିତ୍ର: ୩ ମାସରେ ଗଲାଣି ୩୬ ଘରୋଇ ଡାକ୍ତରଙ୍କ ଜୀବନ

ବେଙ୍ଗାଲୁରୁ: ସାରା ଦେଶରେ କରୋଣା ସ୍ଥିତି ଅଣାୟତ୍ତ। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିଚାଲିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏସବୁ ଭିତରେ କର୍ଣ୍ଣାଟକରୁ ମହମାରୀ କରୋନାକୁ ନେଇ ଆସିଛି ଏକ ବିକଳ ଚିତ୍ର। ଗତ ୩ ମାସ ମଧ୍ୟରେ କର୍ଣ୍ଣାଟକର ବିଭିନ୍ନ ଘରୋଇ ହସ୍ପିଟାଲ, ନର୍ସିଂ ହୋମ ଏବଂ କ୍ଲିନିକ୍‌ରେ କାର୍ଯ୍ୟରତ ୩୬ ଜଣ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଛି।

କରୋନାରେ ଏହି ଡାକ୍ତରଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସେମାନଙ୍କ ପରିବାର ସଦସ୍ୟଙ୍କୁ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର କ୍ଷତିପୂରଣ ମିଳିପାରିନାହିଁ। ଆଇଏମଏ ବା ଇଣ୍ଡିଆନ ମେଡିକାଲ ଆସୋସିଏସନ କର୍ଣ୍ଣାଟକ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖାଯାଇ ମୃତ ଡାକ୍ତରଙ୍କ ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଦାବି କରାଯାଇଛି। ମୃତ ଡାକ୍ତରଙ୍କ ମଧ୍ୟରେ ସ୍ତ୍ରୀ ରୋଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ହୃଦରୋଗ ବିଶେଷଜ୍ଞ ରହିଛନ୍ତି। ଏମାନେ କରୋନାକୁ ହରାଇବାକୁ ଦିନରାତି ଏକ କରି କାମ କରୁଥିବା ସଂଘ କହିଛି।

ଘରୋଇ ଡାକ୍ତର ହେଲେ ମଧ୍ୟ ସେମାନେ କୋଭିଡ ଯୋଦ୍ଧା। ସେମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିଲେ। ତେଣୁ ସେମାନଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ମିଳିବା ଉଚିତ ବୋଲି ଆଇଏମଏ ପକ୍ଷରୁ ଦାବି କରାଯାଇଛି। ସରକାରୀ ଡାକ୍ତରଙ୍କୁ ମିଳୁଥିବା ୫୦ ଲକ୍ଷ ଟଙ୍କାର ବୀମା ମଧ୍ୟ ଘରୋଇ ଡାକ୍ତରଙ୍କ ପାଇଁ ଲାଗୁକରାଯାଉ ବୋଲି ଦାବି କରାଯାଇଛି।

ସୂଚନାଥାଉକି, ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୮ ହଜାର ପାର କରିଛି। ଆଜି ଦେଶରେ ୧୧୧୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Comments are closed.