Odisha Link
Bridging the Missing Links in Odisha

ଚାଲିଗଲେ ଅଭିନେତା ଅଜିତ ଦାସ

ଭୁବନେଶ୍ବର: କରୋନା ଆକ୍ରାନ୍ତ ହୋଇ ଜୀବନ ହାରିଛନ୍ତି ପ୍ରସିଦ୍ଧ ଅଭିନେତା ଅଜିତ ନାରାୟଣ ଦାସ। ମଞ୍ଚ, ପରଦା, ଟେଲିଭିଜନ୍‌ରେ ଅଭିନୟ ସାଙ୍ଗକୁ ସିନେମା ଓ ନାଟ୍ୟ ନିର୍ଦ୍ଦେଶନା ତଥା ଅଭିନୟ ପ୍ରଶିକ୍ଷଣ ମାଧ୍ୟମରେ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରତିଷ୍ଠା ଅର୍ଜନ କରିଥିବା ଶ୍ରୀ ଦାସ ଆଜି ୭୧ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ଖବର ପ୍ରସାରିତ ହେବାପରେ ରାଜ୍ୟ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି।

୨୦ ଜାନୁଆରୀ ୧୯୪୯ରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଅଜିତ୍ ଦାସଙ୍କ ଜନ୍ମ। ପ୍ରାୟ ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ଅଜିତ ଦାସ। ତାଙ୍କ ଅଭିନୀତ ‘ହାକିମବାବୁ’ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ମିଳିଥିଲା। ଉତ୍କଳ ସଙ୍ଗୀତ ବିଶ୍ୱବିଦ୍ୟାଳୟର ଡ୍ରାମା ବିଭାଗର ସେ ଅଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି। ହାକିମବାବୁ, ସିନ୍ଦୁର ବିନ୍ଦୁ, ମାଆ, ସୁନା ଚଢ଼େଇ, କେବେ ତମେ ନାହଁ କେବେ ମୁଁ ନାହିଁ, କୁଳ ଚନ୍ଦ୍ରମା, ପୁନର୍ମିଳନ, ଆହୁତି, ସନ୍ଧ୍ୟାତାରା, ସିନ୍ଦୂର ବିନ୍ଦୁ, ମୁଖ୍ୟମନ୍ତ୍ରୀ, ଲୁଚକାଳି, ଆମ ଭିତରେ କିଛି ଅଛି, ନନ୍ଦିନୀ ଆଇ ଲଭ ୟୁ ଆଦି ତାଙ୍କ ଅଭିନୀତ ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର। ୧୯୭୬ ମସିହାରେ ‘ସିନ୍ଦୁର ବିନ୍ଦୁ’ ଚଳଚିତ୍ରରୁ ନିଜ ଫିଲ୍ମ ଯାତ୍ରା ଆରମ୍ଭ କରିଥିଲେ ଅଜିତ ଦାସ।

୨୦୧୯ ମସିହାରେ ଓଡ଼ିଆ ମିଡିଆ ପ୍ରଦତ୍ତ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’ ଗ୍ରହଣ କରୁଛନ୍ତି ଅଭିନେତା ଅଜିତ ଦାସ

୧୯୭୫ରେ ସେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନ୍‌ଏସ୍‌ଡି)ରୁ ଶିକ୍ଷା ସମପ୍ତ କରି ଅଭିନୟ ଜଗତରେ ପାଦ ଦେଇଥିଲେ। ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଥିଏଟର (ଅଜିତ) ନାମରେ ଏକ ନାଟ୍ୟସଂସ୍ଥା ଗଢ଼ିଥିଲେ। ଏହି ସଂସ୍ଥା ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ଉତ୍ସବରେ ନାଟକ ପରିବେଷଣ କରିବା ସହ ନାଟ୍ୟଶିକ୍ଷା ମଧ୍ୟ ପ୍ରଦାନ କରିଥାଏ।

ଶ୍ରୀ ଦାସ ଜାତୀୟ ପୁରସ୍କାର ସମେତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛନ୍ତି। ୨୦୧୦-୧୧ ମସିହାରେ ସେ ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାର ପାଇଥିବା ବେଳେ ଅଭିନୟ ଜଗତରେ ତାଙ୍କର ସାମଗ୍ରିକ ଅବଦାନ ନିମନ୍ତେ ଗତ ବର୍ଷ (୨୦୧୯ରେ) ସେ ରାଜ୍ୟପାଳଙ୍କ ଠାରୁ ଓଡ଼ିଶା ଉତ୍କର୍ଷ ସମ୍ମାନ ପାଇଥିଲେ।

କିଛି ଦିନ ତଳେ ଅଜିତ ଦାସ କୋଭିଡ୍ ସଂକ୍ରମିତ ହୋଇଥିବାର ଜଣାପଡ଼ିଥିଲା। ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେ କୋଭିଡ୍ ସହ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ।

Comments are closed.