Odisha Link
Bridging the Missing Links in Odisha

ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ସକାଳ ୯ଠାରୁ ଆରମ୍ଭ ହେଲା ଲୋକସଭା ଅଧିବେଶନ। ଅପରାହ୍ନ ୩ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ରାଜ୍ୟସଭା ଅଧିବେଶନ। ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ଏଥର ଅଧିବେଶନରେ ମୋଟ ୧୮ଟି କାର୍ଯ୍ୟ ଦିବସ ରହିବ। ଶିନବାର ଓ ରବିବାର ମଧ୍ୟ ଚାଲିବ ମୌସୁମୀ ଅଧିବେଶନ।

ମୌସୁମୀ ଅଧିବେଶନରେ ୪୫ଟି ବିଲ୍, ଦୁଇଟି ଆର୍ଥିକ ବିଲ୍ ମୋଟ ୪୭ଟି ବିଲ ପାରିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ମୌସୁମୀ ଅଧିବେଶନ ଦୁଇଟି ସିଫ୍ଟରେ ହେବ। ପ୍ରତ୍ୟେକ ସିଫ୍ଟର ଅବଧି ରହିବ ୪ ଘଣ୍ଟା। ଆଜି ସକାଳ ବେଳା କେବଳ ଲୋକସଭା ବସିବ। ଏଥର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବନି କି ପ୍ରାଇଭେଟ ମେମ୍ବର୍ସ ବିଲ୍ ରହିବନି। ଜିରୋ ଆୱାରକୁ ସିମୀତ କରାଯିବ। କୌଣସି ବ୍ରେକ୍ ରହିବନି।

କରୋନା ସଂକ୍ରମଣକୁ ରୋକିବାକୁ ଲାଗି କେତେଗୁଡିଏ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ସାଂସଦଙ୍କ କୋଭିଡ ପରୀକ୍ଷା ହେବ। ଅଧିବେଶନ ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ସାଂସଦମାନେ ଆରଟି ପିସିଆର ଟେଷ୍ଟ କରାଇନେବାକୁ ବାଧ୍ୟତାମୂଳକ କରାଯାଇଛି। ସାମାଜିକ ଦୂରତ୍ବ ନିୟମ ପାଳନ କରି ସାଂସଦମାନଙ୍କର ବସିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାଂସଦମାନଙ୍କର ବସିବାର ସୁବିଧା ଲାଗି ଏଥର ରାଜ୍ୟସଭା ଓ ଲୋକସବାରେ ଚାମ୍ବର୍ସ ଓ ଗ୍ୟାଲେରିର ଉପଯୋଗ କରାଯିବ ।

Comments are closed.