ଝାରସୁଗୁଡାରେ ସପ୍ତାହେ ସଟ୍ଡ଼ାଉନ୍, ସକାଳ ୭ଟାରୁ ୧୨ଟା ଯାଏଁ ଖୋଲିବ ବଜାର

ଝାରସୁଗୁଡ଼ା: ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ଏକ ସପ୍ତାହ ପର୍ଯ୍ୟନ୍ତ ବଜାରକୁ ସଟ୍ଡ଼ାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସଟ୍ଡ଼ାଉନ୍ ସମୟରେ ସକାଳ ୭ଟାରୁ ମଧ୍ୟାନ୍ନ ୧୨ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦେକାନ ଖୋଲାରହିବ। ଝାରସୁଗୁଡ଼ା ବ୍ୟବସାୟୀ ସଂଘ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି।
ଏଥସହ ସ୍ଥାନୀୟ ପ୍ରଶାସନ ଆଜିଠାରୁ 15 ଦିନ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ଖାଦ୍ୟପେୟ ଉପରେ ରୋକ୍ ଲାଗାଇଛି। ଜିଲ୍ଲାପାଳ ତସରୋଜ କୁମାର ସାମଲ କହିଛନ୍ତି ଯେ, ଫାଷ୍ଟଫୁଡ୍ ବିକ୍ରେତା ଏବଂ ଭୋଜନରେ ଲୋକମାନେ ଘୁରି ବୁଲୁଥିବାର ଦେଖାଯାଇଛି ଯାହା କରୋନ ମାମଲା ବୃଦ୍ଧି କରୁଛି। ଏଥିପାଇଁ ସେପ୍ଟେମ୍ବର ୨୫ ରୁ ୧୫ ଦିନ ପର୍ଯ୍ୟନ୍ତ ଫାଷ୍ଟଫୁଡ୍ ଏବଂ ଅନ୍ୟାନ୍ୟ ପ୍ରସ୍ତୁତ ରନ୍ଧା ଖାଦ୍ୟର ରାସ୍ତା କଡ଼ରେ ବିକ୍ରି ନେଇ ଜିଲ୍ଲା ପ୍ରଶାସନ ପ୍ରତିବନ୍ଧକ ଲଗାଇଛି। ପ୍ରଶାସନ ଏହିପରି କ୍ଷୁଦ୍ର ବ୍ୟବସାୟୀଙ୍କୁ ମୁଣ୍ଡପିଛା ୨୫୦୦ ଟଙ୍କା ପ୍ରୋତ୍ସାହନ ଦେବ।
ଆଜି ଝାରସୁଗୁଡ଼ାରେ ୧୮୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଝାରସୁଗୁଡ଼ା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ୭ଶହ ୬୫ରେ ପହଞ୍ଚିଛି। ୧୪ଶହ ୪୮ଜଣ ସକ୍ରିୟ ଥିବା ବେଳେ ୩ହଜାର ୩ଶହ ୧୦ ଜଣ ସୁସ୍ଥ ହେଲେଣି। ସେହିପରି ଜିଲ୍ଲାରେ କରୋନା ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ୭ଜଣଙ୍କର ପ୍ରାଣହାନୀ ହୋଇଛି।