Odisha Link
Bridging the Missing Links in Odisha

ଘରୋଇ କଂପାନୀ ଏବଂ ଶାସକ ଦଳର ମଧୁଚନ୍ଦ୍ରିକା କାରଣରୁ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାବାସିନ୍ଦାଙ୍କ ଜୀବନ ଓ ଜୀବିକା ସଂକଟରେ : ବିଜେପି

ଭୁବନେଶ୍ୱର : ଶିଳ୍ପ ପ୍ରତିଷ୍ଠା ହେଉଛି ରାଜ୍ୟର ବିକାଶ ପାଇଁ, ସ୍ଥାନୀୟ ଅଂଚଳବାସିଙ୍କ ବିକାଶ ପାଇଁ । ମାତ୍ର ଲାଭାନ୍ୱିତ ହେଉଛନ୍ତି କିଛି ନ୍ୟାସ୍ତସ୍ୱାର୍ଥ ଶାସକ ଦଳର ନେତା, ମାଫିଆ ଏବଂ ନିର୍ଦ୍ଧିଷ୍ଟ ଘରୋଇ କଂପାନୀମାନେ ।

ଘରୋଇ କଂପାନୀ ଏବଂ ଶାସକ ଦଳର ମଧୁଚନ୍ଦ୍ରିକା କାରଣରୁ ଆଜି ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାବାସିନ୍ଦାଙ୍କ ଜୀବନ ଓ ଜୀବିକା ସଂକଟ ଭିତରେ ଗତି କରୁଛି ।

ଶିଳ୍ପାଂଚଳ ଭାବେ ପରିଚିତ ଏହି ଅଂଚଳରେ ଥିବା ଶିଳ୍ପ କାରଖାନାରୁ ନିର୍ଗତ ପାଉଁଶ ଗଦା ହୋଇ ଧନଜୀବନ ପ୍ରତି ବିପଦ ହୋଇପଡିଛି । ବିନା ଅନୁମତିରେ ଜିଲ୍ଲାର ବିଭିନ୍ନ ଗୋଚର ଓ ଜଙ୍ଗଲ ଜମିରେ ଅନାବଶ୍ୟକ ଓ ବିଷାକ୍ତ ପାଉଁଶ ଗଦା ହୋଇ କୃତ୍ରିମ ପାହାଡ ସୃଷ୍ଟି ହୋଇଛି ।

ଏହା ଦ୍ୱାରା ପାନୀୟ ଜଳ, ପରିବେଶ ଆଦି ପ୍ରଭାବିତ ହୋଇ ସ୍ଥାନୀୟବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଅତି ଗୁରୁତର ହେବା ସହ ବିପଦରେ ପଡିଛି । ଏପରିକି ଚାଷଜମିରେ ବିଷାକ୍ତ ପାଉଁଶ ପାଣି ମାଡିଯିବାରୁ ବ୍ୟାପକ କ୍ଷୟକ୍ଷତି ହେଉଛି ।

ସ୍ଥାନୀୟ ବାସିନ୍ଦାମାନେ ବେଆଇନ ଭାବେ ପାଉଁଶ ଗଦାକୁ ବିରୋଧ କଲେ, କିଛି ନ୍ୟସ୍ତସ୍ୱାର୍ଥ ମାଫିଆମାନଙ୍କ ଦ୍ୱାରା ସେମାନଙ୍କୁ ମାରି ଦିଆଯିବାର ଧମକ ମାଧ୍ୟମରେ ଭୟଭୀତ କରାଯାଇ ଆତଙ୍କ ସୃଷ୍ଟି କରାଯାଉଛି ।

ଏଥିରେ ଶାସକ ବିଜେଡି ଦଳର କିଛି ପ୍ରଭାବଶାଳୀ ନେତା, ମାଫିଆ ଓ ଗୁଣ୍ଡାମାନେ ସଂପୃକ୍ତ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଅଭିଯୋଗ କରିଛନ୍ତି ।

ଏହି ପ୍ରସଙ୍ଗରେ ୨ଟି ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ଅଭିଯୋଗ ଆସିବା ପରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଚଳିତ ମାସ ୯ ଏବଂ ୧୩ ତାରିଖ ଦୁଇ ଦିନ ଧରି ଝାରସୁଗୁଡା ଏବଂ ସମ୍ବଲପୁର ଜିଲ୍ଲାର ବିଭିନ୍ନ ପାଉଁଶ ଗଦା ହୋଇଥିବା ଅଂଚଳ ଗସ୍ତ କରି ବାସ୍ତବ ସ୍ଥିତି ନିରିକ୍ଷଣ କରିଥିଲେ ।

ଏହି ପ୍ରତିନିଧି ଦଳ ଝାରସୁଗୁଡା ଜିଲ୍ଲାର ପଂଚପଡା, କଟିକେଲା, ସିରିଆପାଲି ଏବଂ ସମ୍ବଲପୁର ଜିଲ୍ଲାର ଶ୍ରୀପୁରା, ଡେର୍ବା, ଗୁମକୁର୍ମା, ଲାରିଆପାଲି, ଗୁଲାମାଲ୍ ଆଦି ଅଂଚଳ ପରିଦର୍ଶନ କରିଥିଲେ ।

ଏହି ପ୍ରତିନିଧି ଦଳରେ ବିଧାୟକ ନାଉରୀ ନାଏକ, କୁସୁମ ଟେଟେ, ଶଂକର ଓରାମ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଏବଂ ପରବର୍ତୀ ସମୟରେ ସାଂସଦ ସୁରେଶ ପୁଜାରୀ ଏବଂ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ପ୍ରମୁଖ ସାମିଲ ହୋଇଥିଲେ ।

ଉଭୟ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାସ୍ଥିତ ବେଦାନ୍ତ ଆଲୁମିନା, ଭୂଷଣ ପାୱାର ଓ ଷ୍ଟିଲ୍‌, ସମଲେଶ୍ୱରୀ ସ୍ପଞ୍ଜ, ବିରାଜ ଷ୍ଟିଲ୍ ଆଦି କଂପାନୀରୁ ନିର୍ଗତ ହେଉଥିବା ଅନାବଶ୍ୟକ ପାଉଁଶକୁ ଜିଲ୍ଲା ପ୍ରଶାସନର ଜ୍ଞାତସାରରେ ସମସ୍ତ ପ୍ରକାରର ସରକାରୀ ଆଇନ ଓ ନୀତିନିୟମକୁ ଉଲ୍ଲଂଘନ କରି ଜିଲ୍ଲାର ବିଭିନ୍ନ ଗୋଚର ଏବଂ ଜଙ୍ଗଲ ଜମିରେ କୃତ୍ରିମ ପାହାଡ ସଦୃଶ ଗଦା କରାଯାଇଛି ।  ଏହା ଦ୍ୱାରା ପରିବେଶ ପ୍ରଦୁଷଣ ହେବା ସହ ପାଉଁଶ ପାଣି ମାଡି ଯାଇ ଚାଷଜମି, ପୋଖରୀ, ନଦୀ ଆଦି ମଧ୍ୟ ପ୍ରଦୁଷିତ ହେଉଛି ।

ପ୍ରଦୁଷିତ ଓ ବିଷାକ୍ତ ପାନୀୟ ଜଳ କାରଣରୁ ନିରୀହ ଓ ଜନସାଧାରଣଙ୍କ ଜୀବନ ଓ ସ୍ୱାସ୍ଥ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡିଛି । ଏପରିକି ନିର୍ଗତ ବିଷାକ୍ତ ପାଉଁଶ ପାଣି ହିରାକୁଦ ଜଳଭଣ୍ଡାରରେ ମିଶିବା କାରଣରୁ ମହାନଦୀ ବହୁ ମାତ୍ରାରେ ପ୍ରଦୁଷିତ ହେଉଛି ।

କଂପାନୀରୁ ଅନାବଶ୍ୟକ ବିଷାକ୍ତ ପାଉଁଶକୁ ଡମ୍ପିଙ୍ଗ୍ ୟାର୍ଡକୁ ଟ୍ୟାଙ୍କର ଦ୍ୱାରା ନିଆଯିବାର ଆଇନ ଥିବା ସତ୍ୱେ ଖୋଲା ଟ୍ରକ ଏବଂ ହାଇୱା ଦ୍ୱାରା ଅଧିକ ପରିମାଣର ପାଉଁଶ ନିଆଯାଉଥିବା କାରଣରୁ ବାୟୁମଣ୍ଡଳ ମଧ୍ୟ ପ୍ରଦୁଷିତ ହେଉଛି ।

ପାଉଁଶ ଗାଡି ଯାତାୟତ କରୁଥିବା ରାସ୍ତାର ଉଭୟ ପାଶ୍ୱରେ ଗଛ ଲଗାଯିବା, ପାଣି ଦ୍ୱାରା ରାସ୍ତାକୁ ଓଦା କରାଯିବାର ଆଇନ ଥିବା ସତ୍ୱେ ଗଛ ଲଗାଯାଉନାହିଁ । ପାଉଁଶ ବୋଝେଇ ଗାଡି ସବୁ ଗହଳିପୂର୍ଣ୍ଣ ଅଂଚଳ ଦେଇ ଯାତାୟତ କରୁଥିବାରୁ ସେ ଅଂଚଳବାସୀ ନାନାଦି ହଇରାଣର ଶିକାର ହେବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି ।

ଗତ ୧୨ ତାରିଖ ଦିନ ବେଦାନ୍ତ କାରଖାନାରୁ ନିର୍ଗତ ହୋଇଥିବା ବିଷାକ୍ତ ପାଉଁଶ ଝାରସୁଗୁଡା ଜିଲ୍ଲା କଲେକ୍ଟର ଏବଂ କୋର୍ଟ ପଛ ପାଶ୍ୱର୍ସ୍ଥିତ ପଂଚପଡା ଡଂପିଙ୍ଗ ୟାର୍ଡ ନିକଟସ୍ଥ କପୁମାଲ ନାଳରେ ମିଶି ପ୍ରଭାହିତ ପାଣିକୁ ଦୁଷିତ ହୋଇଥିଲା ।

ପିଏଚଡି ଦ୍ୱାରା ଏହି ଦୁଷିତ ଓ ବିଷାକ୍ତ ପାଣିକୁ ଝାରସୁଗୁଡା ସହର ଭିତର ଅନେକାଂଚଳକୁ ପାନୀୟ ଜଳ ଯୋଗାଣ କରାଯାଇଥିବା କାରଣରୁ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥିଲା ବୋଲି ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟ ବିଧାୟକ ନାଉରୀ ନାଏକ କହିଛନ୍ତି ।

ଚାକିରୀ ଯୋଗାଇ ଦେବାର ମିଥ୍ୟା ପ୍ରତିଶୃତି ଦେଇ ଗ୍ରାମବାସିଙ୍କଠାରୁ ଜମି ହାତେଇବା ପରେ ପରିବେଶକୁ ଦୁଷିତ କରି ସେମାନଙ୍କ ଜୀବନ ସହ ଖେଳ ଖେଳାଯାଉଛି ବୋଲି ବିଧାୟିକା କୁସୁମ ଟେଟେ ଅଭିଯୋଗ କରିଛନ୍ତି ।

ବିଷାକ୍ତ ପାଉଁଶ ପାଣି ଚାଷ ଜମିରେ ମିଶିଯାଇ ବହୁ କ୍ଷତି ଘଟାଉଥିବାର ବାରମ୍ବାର ଅଭିଯୋଗ ସତ୍ୱେ ଉଭୟ ପ୍ରଶାସନ ଏବଂ କଂପାନୀ କର୍ତୃପକ୍ଷ ନା ଏଥି ପ୍ରତି ଧ୍ୟାନ ଦେଉଛନ୍ତି ନା କ୍ଷତିଗସ୍ତଙ୍କୁ କ୍ଷତିପୁରଣ ଦେଉଛନ୍ତି ।

ପାଉଁଶ ପରିବହନର ଠିକା ନେଇଥିବା ଗ୍ଲୋବାଲ ଲଜିଷ୍ଟିକ, ୟୁନାଇଟେଡ ଲଜିଷ୍ଟିକ ଏବଂ ଦାସ ଟ୍ରାନସ୍ପୋର୍ଟ ସମସ୍ତ ନିୟମକାନୁନକୁ ହେୟଜ୍ଞାନ କରି କାର୍ଯ୍ୟ କରୁଛନ୍ତି । ଏ ସମସ୍ତ ବେଆଇନ ଏବଂ ନିୟମ ଉଲ୍ଲଂଘନକାରୀ କାର୍ଯ୍ୟ ଶାସକ ଦଳର ଜଣେ ପ୍ରଭାବଶାଳୀ ମନ୍ତ୍ରୀ, କିଛି ନିର୍ଦ୍ଧିଷ୍ଟ ନେତା ଓ ମାଫିଆଙ୍କ ପ୍ରରୋଚନାରେ କରାଯାଉଛି ।

ସ୍ଥାନିୟବାସିନ୍ଦା ଏବଂ ଗ୍ରାମବାସୀ ଏହାକୁ ବିରୋଧ କଲେ ତାଙ୍କୁ ମାରି ଦେବାର ଧମକ ଦେଇ ଭୟଭୀତ କରାଯାଉଛି ବୋଲି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି । ଉଭୟ ଜିଲ୍ଲାର ପ୍ରଶାସନ ଉପରୋକ୍ତ ନିୟମ ଖିଲାପକାରିଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ କଂପାନୀ ପ୍ରିତୀର ପରିଚୟ ଅଟେ ।

ରାଜ୍ୟ ସରକାର ତୁରନ୍ତ ଏଭଳି ଗୁରୁତର ସଂକଟର ସମସ୍ୟା ପାଇଁ ହସ୍ତକ୍ଷେପ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ସହ ଦୋଷୀ ଏବଂ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦାବୀ କରାଯାଇଛି ।

ଉଭୟ ଜିଲ୍ଲାର ବାସ୍ତବ ସମସ୍ୟାକୁ ଅନ୍ୟାନ୍ୟ ଉପଯୁକ୍ତ ସ୍ଥାନରେ ଉପସ୍ଥାପନା କରାଯାଇ ସମସ୍ୟାର ସମାଧାନ ପାଇଁ ବିଜେପି ସମସ୍ତ ପ୍ରୟାସ ଜାରି ରଖିବ ବୋଲି ତ୍ରିପାଠୀ କହିଛନ୍ତି ।

Comments are closed.