କରୋନା: ରାଜ୍ୟରେ ଆଉ ୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୧୬ ମୃତକଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା, ମୟୁରଭଞ୍ଜ, ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୧୨୬୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୮୧୭୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୭୩୫୭୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୮୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।