Odisha Link
Bridging the Missing Links in Odisha

ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍‌ ମାର୍କ

ଭୁବନେଶ୍ବର: ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ କଟ୍ ଅଫ୍‌ ମାର୍କ ତାଲିକା। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଯୁକ୍ତ ୩ କଲେଜ (ଡିଗ୍ରୀ କଲେଜ, ସେଲ୍ପ ଫାଇନାନ୍ସିଂ କଲେଜ, ସଂସ୍କୃତ କଲେଜ)ରେ ସ୍ନାତକ ନାମ ଲେଖା ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ କଟ ଅଫ ତାଲିକା ପ୍ରକାଶ ପାଇଛି। ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ହେବ।

ପ୍ରକାଶ ପାଇଥିବା କଟ୍ ଅଫ୍ ମାର୍କ ଅନୁସାରେ ବିଜ୍ଞାନର ଅଧିକାଂଶ ଅନର୍ସ ବିଷୟରେ ବିଜେବି କଲେଜ ଆଗରେ ରହିଛି। ବିଜେବି କଲେଜରେ ଫିଜିକ୍ସ ୯୫%, କେମେଷ୍ଟ୍ରି ୯୪.୬%, ମ୍ୟାଥମେଟିକ୍ସ ୯୫.୨% କଟ୍ ଅଫ୍‌ ରହିଛି। ବାଣିଜ୍ୟରେ ବିଜେବିରେ କଟ୍ ଅଫ୍‌ ମାର୍କ‌ ୮୮.୬୭% ରହିଛି। ସେହିପରି ବିଜେବିରେ ପଲିଟିକାଲ୍‌ ସାଇନ୍ସ ୯୧.୫%, ଇକୋନୋମିକ୍ସ ୯୦.୫% ଓ ଜ୍ୟୋଗ୍ରାଫିରେ କଟ ଅଫ ମାର୍କ ୯୨% ରହିଛି।

ରାଜ୍ୟର ୧୦୨୯ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ମୋଟ ୨ ଲକ୍ଷ ୩୦ ହଜାର ୭୮ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି। ୨ ଲକ୍ଷ ୧୨ ହଜାର ୯୯୮ ବିଦ୍ୟାର୍ଥୀ ଆବେଦନ କରିଥିବାବେଳେ ୨ ଲକ୍ଷ ୧୧ ହଜାର ୬୮୦ ଛାତ୍ରଛାତ୍ରୀ ଦେୟ ପୈଠ କରିଛନ୍ତି। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ପହିଲା ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ସାମ୍ସ ଆକାଉଣ୍ଟରେ ଅନଲାଇନରେ ନାମଲେଖା ଫି ଦାଖଲ କରିପାରିବେ।

Comments are closed.