Odisha Link
Bridging the Missing Links in Odisha

ଆସିଲା ଅନଲକ୍-୫ ଗାଇଡଲାଇନ: ଜାଣନ୍ତୁ କଣ ରହିଛି ନିୟମାବଳୀ…

ନୂଆଦିଲ୍ଲୀ: ଅନଲକ୍-୫ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଅନଲକ୍-୫ ଗାଇଡଲାଇନରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ କେବଳ କଣ୍ଟେନମେଣ୍ଟ ଜୋନ୍‌ରେ ଲକଡାଉନ ରହିବ। ଅଳ୍ପ କିଛି କଟକଣା ରଖି ଅବରୋଧ ଅଂଚଳରେ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ସ୍କୁଲ ଓ କୋଚିଂ ସେଂଟର ଖୋଲିବା ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି କେନ୍ଦ୍ର ସରକାର। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଓ ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସହ ଆଲୋଚନା କରି ଅକ୍ଟୋବର ୧୫ ପରେ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି କେନ୍ଦ୍ର ସରକାର କହିଛନ୍ତି।

ସ୍କୁଲ ନଆସି ଯେଉଁ ଛାତ୍ରଛାତ୍ରୀ ଅନଲାଇନ ପାଠ ପଢ଼ିବାକୁ ଚାହିଁବେ, ସେମାନଙ୍କୁ ଅନୁମତି ଦିଆଯିବ। ତେବେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବା ପାଇଁ ବାପାମାଆଙ୍କ ଲିଖିତ ସମ୍ମତି ଆବଶ୍ୟକ ବୋଲି କୁହାଯାଇଛି। ଆଟେଂଡାନ୍ସକୁ ବାଧ୍ୟମୂଳକ କରାଯିବ ନାହିଁ। ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଏସଓପି ବା ନିୟମାବଳୀ ଜାରି କରିପାରିବେ। କେନ୍ଦ୍ର ଗୃହମନ୍ତ୍ରାଳୟ ସହ ଆଲୋଚନା କରି ଉଚ୍ଚଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରାଳୟ, କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ପାଇଁ ନିଷ୍ପତି ନେଇପାରିବେ। ଏଥିସହ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ, ଘରୋଇ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିବା ସ୍କଲାରଙ୍କ ପାଇଁ ପାଠପଢ଼ା ନେଇ ନିଷ୍ପତି ନେବେ ରାଜ୍ୟ ସରକାର।

ଅକ୍ଟୋବର ୧୫ ତାରିଖରୁ କ୍ରୀଡ଼ାବିତମାନଙ୍କ ବ୍ୟବହାର ପାଇଁ ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ। ଏନେଇ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଡୁଅର ବା ନିୟମାବଳୀ ଜାରି କରିବେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ। ଅକ୍ଟୋବର ୧୫ ତାରିଖରୁ ସିନେମା ହଲ, ଥିଏଟର, ମଲ୍ଟିପେକ୍ସ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ବସିବା କ୍ଷମତାର ୫୦ ପ୍ରତିଶତକୁ ଅନୁମତି ମିଳିବ। ଏନେଇ ନିୟମାବଳୀ ଜାରି କରିବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ମନୋରଂଜନ ପାର୍କ ଏବଂ ସେହିଭଳି ସ୍ଥାନଗୁଡିକ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି। ଅକ୍ଟୋବର ୧୫ ତାରିଖରୁ ଏଗୁଡିକ ଖୋଲିବାକୁ ଅନୁମତି ଦିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସଓପି ଜାରି କରିବେ। ଅକ୍ଟୋବର ୧୫ରୁ ବ୍ୟବସାୟ ସମ୍ପର୍କୀୟ ପ୍ରଦର୍ଶନୀ ପାଇଁ ମଧ୍ୟ ଅନୂୁମତି ଦିଆଯାଇଛି।

Comments are closed.