Odisha Link
Bridging the Missing Links in Odisha

ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କଲେ ପିଏମ୍‌ ମୋଦୀ, କହିଲେ ଗ୍ରାମାଞ୍ଚଳରେ ଆସିବ ଐତିହାସିକ ପରିବର୍ତ୍ତନ

ନୂଆଦିଲ୍ଲୀ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାମୀତ୍ବ ଯୋଜନାର ଶୁଭାରମ୍ଭ କରିଛନ୍ତି। ପିଏମ୍‌ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଦ୍ବାରା ଦେଶର ୧ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଏହି ଯୋଜନା ଆରମ୍ଭ ହେବା ପରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କରାଯିବ। ଏହି ଯୋଜନାରେ ହିତାଧିକାରୀ ମାନେ ନିଜ ମୋବାଇଲ ଫୋନ୍‌କୁ ଆସିଥିବା ଏସଏମଏସ ଲିଙ୍କ ମାଧ୍ୟମରେ ସେମାନଙ୍କ ସମ୍ପତି ସହ ଜଡିତ କାର୍ଡଗୁଡିକୁ ଡାଉନଲୋଡ କରିପାରିବେ। ଏହି ଯୋଜନାର ଘୋଷଣା ଲକ୍‌ଡାଉନ୍‌ ସମୟରେ ପ୍ରଧାନମନ୍ତ୍ରୀ କରିଥିଲେ। ପଞ୍ଚାୟତିରାଜ ମନ୍ତ୍ରାଳୟ ତରଫରୁ ଏହି ଯୋଜନାକୁ ଆରମ୍ଭ କରାଯାଇଛି । ଆଜି ଏହାର ଶୁଭାରମ୍ଭ ହୋଇଛି।

ଏହି ଯୋଜନାରେ ୬ଟି ରାଜ୍ୟର ୭୬୩ ପଞ୍ଚାୟତର ଏକ ଲକ୍ଷ ଲୋକ ଲାଭାନ୍ୱିତ ହେବେ। ଏହି ତାଲିକାରେ ଉତ୍ତର ପ୍ରଦେଶର ୩୪୬, ହରିୟାଣାର ୨୨୧, ମହାରାଷ୍ଟ୍ରର ୧୦୦, ମଧ୍ୟପ୍ରଦେଶର ୪୪, ଉତ୍ତରାଖଣ୍ଡର ୫୦ ଓ କର୍ଣ୍ଣାଟକର ଦୁଇଟି ପଞ୍ଚାୟତ ରହିଛି।

ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ସେହିମାନଙ୍କ ସହ କଥା ହୋଇଥିଲେ, ଯେଉଁମାନଙ୍କୁ ସମ୍ପତ୍ତି କାର୍ଡର ଲାଭ ମିଳିବ। ଏହି ସମ୍ପତ୍ତି କାର୍ଡରେ ଲୋନ୍ ମିଳିବା ସହଜ ହେବ। ଅନ୍ୟ କେହି ସମ୍ପତ୍ତି ଉପରେ ଆଖି ପକାଇ ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କୁ କହିଛନ୍ତି। ଏଥିସହିତ ମୋଦୀ କହିଛନ୍ତି ଯେ, ଏହି ଯୋଜନା ଫଳରେ ଦେଶର ଗ୍ରାମାଞ୍ଚଳରେ ଐତିହାସିକ ପରିବର୍ତ୍ତନ ଆଣିବ।

Comments are closed.