Odisha Link
Bridging the Missing Links in Odisha

ଭାରତକୁ ଆସିବ ଆଉ ୪ ରାଫେଲ ବିମାନ

ନୂଆଦିଲ୍ଲୀ : ଭାରତ ସହିତ ଚୀନର ତିକ୍ତତା କମିବାର ନାଁ ଧରୁନି । ନଭେମ୍ବର ପ୍ରଥମ ସପ୍ତାହରେ ଫ୍ରାନ୍ସରୁ ଦ୍ଵିତୀୟ ଦଫାରେ ଆଉ ୩-୪ ରାଫେଲ ବିମାନ ହରିୟାଣା ସ୍ଥିତ ଅମ୍ବାଲା ବାୟୁସେନା ବେସ୍‌ରେ ପହଞ୍ଚିବ। ଏହା ପୂର୍ବରୁ ଜୁଲାଇ ୨୮ରେ ପ୍ରଥମ ଦଫାରେ ୫ ରାଫେଲ ବିମାନ ଭାରତ ପହଞ୍ଚିଥିଲା। ଏହାକୁ ଆନୁଷ୍ଠାନିକ ଭାବେ ସେପ୍ଟେମ୍ବର ୧୦ରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା।

ସରକାରୀ ସୂତ୍ର ଅନୁଯାୟୀ ଫ୍ରାନ୍ସଠୁ ଦ୍ଵିତୀୟ ଦଫାରେ ୩-୪ ରାଫେଲ ବିମାନ ନଭେମ୍ବର ପ୍ରଥମ ସପ୍ତାହରେ ଭାରତରେ ପହଞ୍ଚିବ। ଏହାକୁ ନେଇ ଦେଶରେ ପ୍ରସ୍ତୁତି କରାଯାଉଛି। ଏହାକୁ ମିଶାଇ ଭାରତ ପାଖରେ ବର୍ତ୍ତମାନ ୮-୯ ରାଫେଲ ବିମାନ ହେବ। ରାଫେଲ ଲଢୁଆ ବିମାନକୁ ପୂର୍ବରୁ ନିୟୋଜିତ କରାଯାଇଛି। ବହୁତ କମ ସମୟ ଭିତରେ ରାଫେଲକୁ ଲଦାଖ କ୍ଷେତ୍ରରେ ମୁତୟନ କରାଯାଇଛି।

ଦ୍ଵିତୀୟ ଦଫାରେ ଆସୁଥିବା ବିମାନକୁ ପଶ୍ଚିମବଙ୍ଗର କଲଇକୁଣ୍ଡା ଷ୍ଟେସନରେ ମୁତୟନ କରାଯିବ। ଚୀନ ସଂଲଗ୍ନ ପୂର୍ବସୀମାର ସୁରକ୍ଷା ପାଇଁ ୪.୫ ପିଢିର ଏହି ଲଢୁଆ ବିମାନକୁ ନିୟୋଜିତ କରାଯିବ, ଯେମିତି ଚୀନର ପ୍ରତିଟି ଚାଲ୍‌ର ଜବାବ ଦିଆଯାଇ ପାରିବ।

ଉଲ୍ଲେଖନୀୟ ୩୬ ରାଫେଲ ବିମାନ ପାଇଁ ଭାରତ ଫ୍ରାନ୍ସ ସହ ୫୮ ହଜାର କୋଟି ଟଙ୍କାର ରାଜିନାମା କରିଛି। ୨୦୨୧ ସୁଦ୍ଧା ଏହି ସବୁ ବିମାନ ଭାରତକୁ ଆସିବାର ଆଶା ରହିଛି। ସେଥିରୁ ୧୦ ଚଳିତ ବର୍ଷ ମିଳିବାକୁ ଯାଉଛି।

Comments are closed.