ଗଞ୍ଜେଇ ଜବତ, ଜଣେ ଗିରଫ

ପିପିଲି: ଆଜି ଏକ କାର୍ ମଧ୍ୟରୁ ୧୬ କେଜି ଓଜନର ଗଞ୍ଜେଇ ଜବତ କରାଯାଇଛି। ପୁରୀରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ପିପିଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଅବକାରୀ ଟିମ୍ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସାତଶଙ୍ଖ ବଜାରଠାରେ ପାଟ୍ରୋଲିଂକୁ କଡାକଡି କରିଥିଲା।
ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ମାରୁତି ୱାଗନର କାର୍କୁ ଅଟକାଇ ଯାଞ୍ଚ କରାଯିବାବେଳେ କାର୍ ମଧ୍ୟରୁ ୧୬କେଜି ଓଜନର ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି। ଏନେଇ ପିପିଲି ଅବକାରୀ ଥାନାରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ଏହି ଗଞ୍ଜେଇ ଚୋରା କାରବାରରେ ସଂପୃକ୍ତ ଥିବା ବ୍ରହ୍ମଗିରି ଥାନା ବେଣ୍ଟପୁର ଗ୍ରାମର ଅଭିଯୁକ୍ତ ରବିନ୍ଦ୍ର କୁମାର ସାହୁ (୪୪)କୁ ଗିରଫ କରାଯାଇଛି।
ଅଭିଯୁକ୍ତକୁ ପୁରୀ କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଏହି ଚଢାଉରେ ଶ୍ରୀମଲ୍ଲିକଙ୍କ ସମେତ ଅବକାରୀ ଏଏସ୍ଆଇ ସୁଶାନ୍ତ କୁମାର ମହାପାତ୍ର, କନେଷ୍ଟବଳ ସନ୍ତୋଷ ନାୟକ, ଦୀନବନ୍ଧୁ ବାରିକ, ତପନ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିବା ସୂଚନା ମିଳିଛି।