ମୋ ବିଦ୍ୟୁତ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସୁବିଧା ନିମନ୍ତେ “ମୋ ବିଦ୍ୟୁତ୍” ଆପ୍ର ଶୁଭାରମ୍ଭ କରିଛନ୍ତି। ଏଣିକି ଜନ ସାଧାରଣ ଅନ୍ଲାଇନ୍ ଆପ୍ ମାଧ୍ୟମରେ ନିଜର ବିଲ୍ ପୈଠ କରି ପାରିବେ। ଗ୍ରାହକମାନେ ଅନ୍ଲାଇନ୍ରେ ବିଦ୍ୟୁତ୍ ଦେୟ ଦେଲେ ମିଳିବ ୨ % ରିହାତି। ଏହି ଆପ୍ ମାଧ୍ୟମରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଅଭିଯୋଗର ତୁରନ୍ତ ସାମଧାନ କରାଯାଇ ପାରିବ ।
ବିଦ୍ୟୁତ୍ ସେବା ବର୍ତ୍ତମାନ ମୋ ସରକାରଙ୍କ ଅଧୀନରେ ଆସିବ।ସେ କହିଛନ୍ତି ଯେ ବିଦ୍ୟୁତ୍ ଏକ ଅତ୍ୟାବଶ୍ୟକ ସେବା ଏବଂ ଆଧୁନିକ ଜୀବନର ପ୍ରତ୍ୟେକ ଦିଗ ଉପରେ ପ୍ରଭାବ ପକାଇଥାଏ। ତେଣୁ ମୋ ସରକାରଙ୍କ ଅଧୀନରେ ଏହି ସେବା ଉପରେ ନଜର ରଖାଯିବ। ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସେମାନଙ୍କ ମତାମତ ପାଇଁ ଗ୍ରାହକଙ୍କ ସହ ଯୋଗାଯୋଗ କରିବେ।
ଲୋକମାନେ ବର୍ତ୍ତମାନ ନୂତନ ସଂଯୋଗ, ବିଲ୍ ପେମେଣ୍ଟ କିମ୍ବା ଅଭିଯୋଗର ସମାଧାନ ପାଇଁ ବିଭିନ୍ନ କାର୍ଯ୍ୟାଳୟକୁ ଯିବା ଆବଶ୍ୟକ ପଡ଼ିବ ନାହିଁ। ଏହାଦ୍ୱାରା ରାଜ୍ୟର ୮୯ଲକ୍ଷରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚିତ କରିଛନ୍ତି।