Odisha Link
Bridging the Missing Links in Odisha

ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣା, ତଦନ୍ତ ଆରମ୍ଭ କଲେ ୪ ଜଣିଆ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରହିଛି। ଆଜି ପେଟ୍ରୋଲିୟମ ମନ୍ତ୍ରାଳୟର ୪ ଜଣିଆ ଟିମ୍ ଘଟଣାସ୍ଥଳରେ ତଦନ୍ତ ପାଇଁ ପହଞ୍ଚିଛନ୍ତି। ପେଟ୍ରୋଲ ପମ୍ପରେ ଥିବା ଗ୍ୟାସ୍ ଟାଙ୍କି କାହିଁକି ଫାଟିଲା, କେମିତି ଫାଟିଲା, କାହା ଅବହେଳା ଏଥି ପାଇଁ ଦାୟୀ, ତାର କାରଣ ଖୋଜୁଛନ୍ତି କେନ୍ଦ୍ରୀୟ ଟିମ୍। ଘଟଣା ଦିନ ଉପସ୍ଥିତ ଥିବା କିଛି କର୍ମଚାରୀଙ୍କୁ ପଚରାଉଚରା କରିଛି କେନ୍ଦ୍ରୀୟ ଟିମ୍।

ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣା ଉପରେ ତଦନ୍ତକାରୀ ଦଳ କହିଛନ୍ତି, ଭୂତଳ ଗ୍ୟାସ ଚାମ୍ବର ବିସ୍ଫୋରଣ ହେବା ଅତି ଆଶ୍ଚର୍ଯ୍ୟଜନକ। ପୂର୍ବରୁ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ତଦନ୍ତ କ୍ୟାପିଟାଲ ଥାନା ପୁଲିସ କରୁଛି। ଆଜି ଯାଞ୍ଚ ସମୟରେ କ୍ୟାପିଟାଲ ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ।

ପ୍ରକାଶ ଯେ, ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ପେଟ୍ରୋଲ ପମ୍ପରେ ଏକ ବଡ଼ ଧରଣର ନିଆଁ ଲାଗିଥିଲା। ଏନେଇ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖ ପାଖ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉକ୍ତ ଅଞ୍ଚଳକୁ କର୍ଡନ କରିଥିଲା। ବିସ୍ଫୋରଣରେ ଅନେକ ଗାଡ଼ି ଛିନଛତ୍ର ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପେଟ୍ରୋଲ ପମ୍ପର ୧ କିମି ପରିଧି ଭିତରେ ଭୂକମ୍ପ ଭଳି ଝଟକା ଲାଗିଥିଲା।

Comments are closed.