Odisha Link
Bridging the Missing Links in Odisha

ମୁସଲିମ୍‌ଙ୍କୁ RSS ଶାଖାର ସମର୍ଥନ, ଫ୍ରାନ୍ସ ବିରୋଧରେ ବିକ୍ଷୋଭ

ହାଇଦ୍ରାବାଦ: ଫ୍ରାନ୍ସରେ ଆତଙ୍କବାଦୀଙ୍କ ବର୍ବରତା ପରେ ସେଠାକାର ସହକାର ମୁସଲମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଭାରତରେ ଇସଲାମ ସଂପ୍ରଦାୟ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଫରାସୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ବିରୋଧ କରାଯାଇଛି। ତେବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (RSS) ମଧ୍ୟ ଏ ଘଟଣାରେ ମୁସଲମାନଙ୍କ ସମର୍ଥନରେ ବାହାରିଛି। ଆର୍‌ଏସ୍‌ଏସ୍‌ର ଇସଲାମୀୟ ଶାଖା ମୁସଲିମ୍‌ ରାଷ୍ଟ୍ରୀୟ ମଞ୍ଚ ପକ୍ଷରୁ ଶନିବାର ଦିନ ଫ୍ରାନ୍ସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସଞ୍ଚର ହାଇଦ୍ରାବାଦ ସ୍ଥିତ ମୁଖ୍ୟାଳୟ ସାମନାରେ ପୈଗମ୍ବର ମହମ୍ମଦଙ୍କ ଜନ୍ମୋତ୍ସବ ମିଲାଦ୍-ଉନ୍-ନବୀ ପାଳନ ଅବସରରେ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ଫଟୋଚିତ୍ର ପୋଡ଼ା ଯାଇଥିବା ବେଳେ ଗରିବମାନଙ୍କୁ ଖାଦ୍ୟ ବଣ୍ଟା ଯାଇଥିଲା।

ମଞ୍ଚର ସଭାପତି ଏମ୍‌ଏ ସତ୍ତାର ଗଣମାଧ୍ୟମକୁ କହିଛନ୍ତି ଯେ ପୈଗମ୍ବରଙ୍କୁ ତଳିଆ କରି ଦେଖାଇବା ପାଇଁ ଜାଣିଶୁଣି ଉଦ୍ୟମ ହେଉଛି। ଇସଲାମ୍‌ ବ୍ୟକ୍ତିତ୍ବଙ୍କ ପ୍ରତି କୌଣସି ଅସମ୍ମାନ ପ୍ରଦର୍ଶନକୁ ସଂଘ ବିରୋଧ କରେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଏହି ମଞ୍ଚ ପୂର୍ବରୁ ନାଗରିକତା ସଂଶୋଧନ ଆଇନ (CAA)କୁ ସମର୍ଥନ ଦେଇ ବିରୋଧର ସମ୍ମୁଖୀନ ହୋଇଥିଲା। ସଂଘ ପରିବାରକୁ ମୁସଲମାନ ସଂପ୍ରଦାୟଙ୍କ ନିକଟତର କରିବା ଲକ୍ଷ୍ୟରେ ୨୦୦୨ରେ ତତ୍‌କାଳୀନ ସଂଘ ମୁଖ୍ୟ କେଏସ୍‌ ସୁଦର୍ଶନ ମୁସଲିମ୍‌ ରାଷ୍ଟ୍ରୀୟ ମଞ୍ଚ ଆରମ୍ଭ କରିଥିଲେ।

Comments are closed.