ବର ୭୮କୁ କନିଆଁ ୧୭, ବାହାଘର ମାସେ ନପୂରୁଣୁ ଛାଡ଼ପତ୍ର

ଜାକର୍ତା: ଇଣ୍ଡୋନେସିଆରେ ଏକ ବିବାହକୁ ନେଇ କିିଛିଦିନ ତଳେ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଥିଲା। ସେହି ବାହାଘର ମାସେ ନପୂରୁଣୁ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗତ ମାସରେ ଇଣ୍ଡୋନେସିଆରେ ଅବାହ ସରନା ନାମକ ଜଣେ ୭୮ ବର୍ଷ ବୟସ୍କ ବ୍ୟକ୍ତି ୧୭ ବର୍ଷୀୟ ଝିଅ ନୋନି ନବିତାଙ୍କୁ ବିବାହ କରିଥିଲେ।
ଏହି ଚର୍ଚ୍ଚିତ ବିବାହର ୨୨ ଦିନ ପରେ, ଏହି ବ୍ୟକ୍ତି ଜଣକ ବର୍ତ୍ତମାନ ନିଜ ପତ୍ନୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟଙ୍କ ବିବାହଙ୍କୁ ସୋସିଆଲ ମିଡିଆରେ ଦିନେ ଖୁବ୍ ଚର୍ଚ୍ଚା ହୋଇଥିଲା। ହେଲେ ଏବେ ଅବାହ ନୋନିଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଗତ ସପ୍ତାହରେ ଦୁଇ ଜଣଙ୍କର ବିଚ୍ଛେଦ ହୋଇଛି।
ବିବାହ ବିଚ୍ଛେଦକୁ ନେଇ ଝିଅ ଘର ଲୋକଙ୍କୁ ବଡ଼ ଝଟକା ଲାଗିଛି। କାରଣ ଉଭୟଙ୍କ ବିବାହକୁ ନେଇ ଝିଅ ଘର ଲୋକଙ୍କ ପକ୍ଷରୁ କୌଣସି ସମସ୍ୟା ନଥିଲା। କନ୍ୟାର ଭଉଣୀ ଆୟାନ୍ ଗଣମାଧ୍ୟମକୁ କହିଛନ୍ତି, ‘ମୁଁ ଏସବୁ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଥିଲା। ହେଲେ ତାଙ୍କର ହଠାତ୍ ଏଭଳି ନିଷ୍ପତ୍ତି ନେବା ମୋତେ ଆଶ୍ଚର୍ଯ୍ୟ କରିଛି। ଅବାହ ସରନାଙ୍କୁ ନେଇ ପରିବାର ପକ୍ଷରୁ କୌଣସି ଅସୁବିଧା ନଥିଲା ବୋଲି ସେ କହିଛନ୍ତି।
ଅପରପକ୍ଷେ ଅବାହ ସରନା ଅଭିଯୋଗ ଆଣିଛନ୍ତି ଯେ, ନୋନି ନବିତା ବିବାହ ପୂର୍ବରୁ ଗର୍ଭବତୀ ଥିଲେ। ଯେଉଁଥିପାଇଁ ତାଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି ବୋଲି ଅବାହ କହିଥିଲେ। ଅପରପକ୍ଷେ, ନୋନିଙ୍କ ଭଉଣୀ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ଏହିପରି କିଛି ହୋଇନାହିଁ ବୋଲି ସେ କହିଛନ୍ତି।