ଆଜି ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ନେଇ ଶୁଣାଣି

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଅନ୍ତରୀଣ ଜାମିନ ଆବେଦନ ନେଇ ଆଜି ଶୁଣାଣି କରିବେ ବମ୍ବେ ହାଇକୋର୍ଟ। ଗତକାଲି ଏହି ଆବେଦନ ଉପରେ ନିଷ୍ପତ୍ତି ପୂର୍ବରୁ ସମସ୍ତ ପକ୍ଷଙ୍କ ଜବାବ ଶୁଣିବା ଲାଗି ହାଇକୋର୍ଟ ଉପଯୁକ୍ତ ମନେ କରିଛନ୍ତି। ଆଜି ଏହି ମାମଲାରେ ହାଇକୋଟ ପୁନର୍ବାର ଶୁଣାଣି କରିବେ। ଡିଜାଇନର ଅନ୍ବୟ ନାଏକ ଓ ତାଙ୍କ ମା’ କୁମୁଦଙ୍କୁ ଆତ୍ମହତ୍ୟା ପାଇଁ ଅର୍ଣ୍ଣବଙ୍କୁ ମୁମ୍ବାଇ ପୁଲିସ ବୁଧବାର ସକାଳେ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଅର୍ଣ୍ଣବଙ୍କ ସହିତ ଏହି ମାମଲାରେ ଫିରୋଜ ଶେଖ ଓ ନିତେଶ ସରଦା ମଧ୍ୟ ଗିରଫ କରାଯାଇଛି। ଏବେ ୩ ଜଣ ବିଚାର ବିଭାଗୀୟ ହାଜତରେ ଅଛନ୍ତି।
ଅନ୍ତରୀଣ ଜାମିନ ଆବେଦନ ଉପରେ ବିଚାରପତି ଏସଏସ ସିନ୍ଦେ ଓ ଏମଏସ୍ କର୍ଣ୍ଣିକାଙ୍କୁ ନେଇ ଗଠିତ ହାଇକୋର୍ଟ ଶୁଣାଣି କରିଥିବା ବେଳେ ଜାମିନ ନିମନ୍ତେ କୌଣସି ନିର୍ଦେଶ ଦେଇନାହାନ୍ତି। ପୀଠ କହିଛନ୍ତି ଯେ ମାମଲାର ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଅନ୍ତରୀଣ ଜାମିନ ଆବେଦନ ସମ୍ପର୍କରେ ରାୟ ଶୁଣାଯିବ। ତେଣୁ ଶୁକ୍ରବାର ଅପରାହ୍ଣ ୩ଟାରେ ଏହା ଉପରେ ପରବର୍ତ୍ତୀ ଶୁଣାଣି ନିମନ୍ତେ ହାଇକୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି।
ଏହି ମାମଲାରେ ଅନ୍ୟପକ୍ଷ ମଧ୍ୟରେ ରହିଛନ୍ତି ଆତ୍ମହତ୍ୟା କରିଥିବା ଡିଜାଇନର ଅନ୍ବୟ ନାଏକଙ୍କ ପତ୍ନୀ ଅକ୍ଷତା ନାଏକ ଓ ମହାରାଷ୍ଟ୍ର ସରକାର। ଅର୍ଣ୍ଣବଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଓ ଆବାଦ ପୋଣ୍ଡା ହାଇକୋର୍ଟରେ ପକ୍ଷ ରଖିଥିଲେ। ହାଇକୋର୍ଟରେ ଅନ୍ତରୀଣ ଜାମିନ ପୂର୍ବରୁ ଅଲିବାଗ କୋର୍ଟରେ ହୋଇଥିବା ଜାମିନ ଆବେଦନକୁ ପ୍ରତ୍ୟାହାର କରି ଅଣାଯାଇଥିଲା। ଅନ୍ତରୀଣ ଜାମିନ ସହିତ ୨୦୧୮ର ମାମଲାକୁ ନେଇ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ ସହିତ ତଦନ୍ତ ବନ୍ଦ କରିବା ଲାଗି ଅର୍ଣ୍ଣବ ନଭେମ୍ବର ୨ରେ ଆବେଦନ କରିଥିଲେ।
ସୂଚନାଯୋଗ୍ୟ, ଅନ୍ବୟ ନାଏକଙ୍କ ମାଲିକାନାଧୀନ କନକର୍ଡ ଡିଜାଇନ ପ୍ରାଇଭେଟ ଲିମିଟେଡ ରିପବ୍ଲିକ ଟିଭିର ଷ୍ଟୁଡିଓ ନିର୍ମାଣ କରିଥିଲା। ଷ୍ଟୁଡିଓ ନିର୍ମାଣ ବାବଦକୁ ଟିଭି ଚ୍ୟାନେଲ ଆଉ ୮୩ଲକ୍ଷ ଟଙ୍କା ଦେବାକୁ ବାକିଥିଲା। ଅନ୍ବୟ ତାଙ୍କର ବକେୟା ଅର୍ଥ ମାଗିବାରୁ ତାଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଧମକ ପାଇବା ପରେ ଅନ୍ବୟ ଓ ତାଙ୍କ ମା କୁମୁଦ ଆତ୍ମହତ୍ୟା କରିଥିଲେ। ୨୦୧୮ ମେ ମାସରେ ଅନ୍ବୟ ଓ ତାଙ୍କ ମା’ଙ୍କ ମୃତଦେହ ଅଲିବାଗସ୍ଥିତ ଫାର୍ମ ହାଉସରୁ ମିଳିଥିଲା। ପୁଲିସ ଜବତ କରିଥିବା ସୁଇସାଇଡ ନୋଟ୍ରେ ଅର୍ଣ୍ଣବଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରାଯାଇଥିଲା।