Odisha Link
Bridging the Missing Links in Odisha

ଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ବାପା

ହିଞ୍ଜିଳିକାଟୁ: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ଯୌତୁକ ନିର୍ଯାତନା ମାମଲା। ଏପରିକି ଯୌତୁକ ପାଇଁ ବଧୂ ହତ୍ୟା କରାଯାଉଥିବା ଅଭିଯୋଗ ବାରମ୍ବାର ରାଜ୍ୟରେ ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ଯୈାତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ହୋଇଛି। ମୃତକ ଜଣକ ସ୍ଥାନୀୟ ପୈାରାଞ୍ଚଳ ୭ ନମ୍ବର ଓ୍ବାର୍ଡ ସୋମପୁର ଗ୍ରାମର ଭିକାରୀ ସାହୁଙ୍କ ସ୍ତ୍ରୀ ରାଜେଶ୍ବରୀ ସାହୁ (୨୨)। ଏ ନେଇ ହିଞ୍ଜିଳି ଥାନାରେ ମୃତକଙ୍କ ବାପା ବିଜୟ ସାହୁ ଅଧିକ ଯୈାତୁକ ଦାବି କରି ଶଶୁର ଘର ଲୋକେ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି। ଏ ନେଇ ହିଞ୍ଜିଳି ଥାନାରେ ୪୦୧/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

କନ୍ଧମାଳ ଜିଲ୍ଲା ବାଲିଗୁଡା ବାସିନ୍ଦା ବିଜୟ ସାହୁଙ୍କ ଝିଅ ରାଜେଶ୍ବରୀ ସହ ହିଞ୍ଜିଳିକାଟୁ ପୈାରାଞ୍ଚଳ ରଜା ସାହି ବାସିନ୍ଦା ରାମହରି ସାହୁଙ୍କ ପୁଅ ଭିକାରୀ ସହ ଗତ ୨୦୧୯ ଏପ୍ରିଲ ମାସରେ ବାହାଘର ହୋଇଥିଲା। ବାହାଘର ସମୟରେ ବରଘର ଦାବି ମୁତାବକ ୫ ଭରି ଓଜନର ସୁନା ଗହଣା, ୧ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ପ୍ରଦାନ କରାଯାଇଥିଲା। ଅଧିକ ଯୌତୁକ ଦାବି କରି ଶଶୁର ଘର ଲୋକେ ରାଜେଶ୍ବରୀଙ୍କୁ ବାରମ୍ବାର ନିର୍ଯ୍ୟାତନା ଦେଉଥିଲେ ବୋଲି ମୃତ ନବବଧୂଙ୍କ ବାପା ଅଭିଯୋଗ କରିଛନ୍ତି।

ଶୁକ୍ରବାର ଅପରାହ୍ନରେ ନବବଧୂ ଜଣକ ଉପର ଘରକୁ ଯାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଶଶୁର ଘର ଲୋକେ ନବବଧୂ ଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ। ନବବଧୂ ଜଣକ ବଞ୍ଚିଥିବା ଆଶଙ୍କା କରି ପରିବାର ଲୋକେ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି । ଶନିବାର ସକାଳେ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।

ଅନ୍ୟ ପକ୍ଷରେ ନବବଧୂଙ୍କ ସ୍କୁଟି ଗାଡ଼ି ନେଇ ଶଶୁର କୈାଣସି କାମରେ ବାହାରକୁ ଗାଡି ନେଇ ଚାଲିଯିବାରୁ ଉତ୍ୟକ୍ତ ହୋଇ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଶଶୁର ରାମହରି କହିଛନ୍ତି। ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଦାସ କହିଛନ୍ତି।

Comments are closed.